‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’
ଆଜି ରଜ ସଂକ୍ରାନ୍ତି। ଗଣପର୍ବ ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ । ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’।
ଜଳେଶ୍ବର: ଓଡ଼ିଶାର ଗଣପର୍ବ ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ରଜ ଦୋଳିରେ ଝୁମୁଛି ପୁରା ଓଡିଶା। ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନୂଆ ପୋଷାକ, ଅଳତା, ମେହେନ୍ଦୀ ଓ ରଜ ପାନ ସହ ରଜର ମଜା ନେଉଛନ୍ତି କୁଆଁରୀ ଝିଅମାନେ। ଜଳେଶ୍ବର ଭୋଗରାଇ ବ୍ଲକ କମର୍ଦ୍ଦା ଛକରେ ଶ୍ରଦ୍ଧା କ୍ରିଏଟିଭ ଆର୍ଟ୍ସ ପକ୍ଷରୁ ଆୟୋଜିତ ରଜ ଦୋଳି ଉତ୍ସବରେ ଦେଖିବାକୁ ମିଳିଛି ଭରପୂର ଉତ୍ସାହ। ସକାଳୁ ସକାଳୁ କୁଆଁରୀ ଝିଅମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଓ ହାତରେ ମେହେନ୍ଦୀ ଲଗାଇ ସଜବାଜ ହୋଇ ରଜ ପାଳନରେ ମାତିଛନ୍ତି। ଶ୍ରଦ୍ଧା କ୍ରିଏଟିଭ ଆର୍ଟ୍ସ ପକ୍ଷରୁ ଆୟୋଜିତ ରଜ ଦୋଳି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବତୀ ଓ କୁନି କୁନି ପିଲାମାନେ ଯୋଗଦେଇଛନ୍ତି । ରଜ ପିଠା, ପଣା ଓ ରଜ ପାନର ଆସର ଜମିଥିବା ବେଳେ ବୟସ୍କମାନଙ୍କୁ ମଧ୍ୟ ରଜ ପାନ ଖୁଆଇ ସମ୍ମାନ ଜଣାଇଥିଲେ ଯୁବତୀମାନେ। ଏହାପରେ ରଜ ଗୀତର ତାଳେ ତାଳେ ଦୋଳି ଝୁଲିବା ସହ ପୁଚି ଖେଳ ଓ ବିଭିନ୍ନ ପାରମ୍ପରିକ କ୍ରୀଡ଼ାରେ ମାତିଥିଲେ ସମସ୍ତେ। ଗାଁର ପୁରୁଣା ପରମ୍ପରାକୁ ଜୀବନ୍ତ ରଖିବା ସହ ନୂଆ ପିଢ଼ିଙ୍କୁ ରଜର ସଂସ୍କୃତି ସହ ଯୋଡ଼ିବାକୁ କରାଯାଇଛି ଏଭଳି ଆୟୋଜନ ।
ରିପୋର୍ଟ – ସୌରଭ ରାଉଳ
