Yogi Government’s : ୟୁପିରେ ସରକାରୀ ଚାକିରି ପାଇଁ କଡ଼ା ହେଲା ଚରିତ୍ର ଯାଞ୍ଚ ନିୟମ
ଉତ୍ତର ପ୍ରଦେଶ ସରକାର ଚାକିରି ପାଇଁ ଚରିତ୍ର ଯାଞ୍ଚ ପାଇଁ ନିୟମଗୁଡ଼ିକ କଠୋର କରାଯାଇଛି | ଯଦି ହିଂସାରେ ସମ୍ପୃକ୍ତ ଥିବାର ଜଣାପଡି ଥାଏ ତେବେ ସରକାରୀ ଚାକିରୀ ମିଳିବନି |

ଉତ୍ତର ପ୍ରଦେଶ ସରକାରୀ ଚାକିରୀ ପାଇବା ପାଇଁ ଚରିତ୍ର ଯାଞ୍ଚ ପାଇଁ ନିୟମଗୁଡ଼ିକ କଠୋର ହୋଇଯାଇଛି | ସରକାର କହିଛନ୍ତି ଯେ ହିଂସା କରୁଥିବା ଲୋକଙ୍କୁ ସରକାରୀ ଚାକିରୀ ମିଳିବ ନାହିଁ | ଯୋଗୀ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ 'ଶାସନ ପରିବର୍ତ୍ତନ' ପାଇଁ ରାଜ୍ୟରେ କୌଣସି ପ୍ରକାର ହିଂସା ପ୍ରଦର୍ଶନ କରୁଥିବା ସାମିଲ ଥିଲେ , ଯଦି ଏଥିରେ କାହାର ନାମ ଆସିଲେ ଅଥବା, ଯଦି କାହା ଉପରେ କେସ ହୁଏ ତା ସରକାରୀ ଚାକିରୀ ପାଇବାରେ ସମସ୍ୟା ସୃଷ୍ଟି ହେବ |
ରାଜ୍ୟ ସରକାରୀ ସେବା ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଏଣିକି ଚରିତ୍ର ଓ ପୂର୍ବ ଇତିହାସ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଅସ୍ଥାୟୀ ନିଯୁକ୍ତି ପତ୍ର ଦିଆଯାଇପାରିବ। ତେବେ ସମ୍ବେଦନଶୀଳ ଓ ସୁରକ୍ଷା ସମ୍ବନ୍ଧୀୟ ପଦବୀରେ ନିଯୁକ୍ତି ପୂର୍ବରୁ ବିସ୍ତୃତ ଯାଞ୍ଚ କରିବା ବାଧ୍ୟତାମୂଳକ ହେବ | କିଛି ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଯିବ | ଏ ସମ୍ପର୍କରେ ପ୍ରମୁଖ ସଚିବ ଏମ୍. ଦେବରାଜ ଗତକାଲି ଦିନରେ ଏକ ନୂତନ ନୀତି ଜାରି କରିଛନ୍ତି |
ଚରିତ୍ର ଯାଞ୍ଚର ନୂଆ ନିୟମ
ଏହି ନୂଆ ନିୟମ ଅନୁଯାୟୀ, ସରକାରୀ ବିଭାଗ ସହିତ ନିଗମ, ପରିଷଦ, ଶିକ୍ଷାନୁଷ୍ଠାନ, ସ୍ୱୟଂଶାସିତ ସଂସ୍ଥା, ସରକାରୀ ଉଦ୍ୟୋଗ, ପଞ୍ଚାୟତ ଏବଂ ସ୍ଥାନୀୟ ନିକାୟଗୁଡ଼ିକରେ ସିଧାସଳଖ ନିଯୁକ୍ତି ପାଇଁ ଏକୀକୃତ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ବିଚାରାଧୀନ ଥିବା ମାମଲାଗୁଡ଼ିକର ନିଷ୍ପତ୍ତି ମଧ୍ୟ ଏହି ନୀତି ଆଧାରରେ ନିଆଯିବ।ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଏହି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି କର୍ତ୍ତୃପକ୍ଷ ଆଶାୟୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପୋଲିସ ମହାନିର୍ଦ୍ଦେଶକ (ଗୁଇନ୍ଦା), ପ୍ରାର୍ଥୀଙ୍କ ଗୃହ ଜିଲ୍ଲାର ଜିଲ୍ଲାପାଳ ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଯେଉଁ ଜିଲ୍ଲାରେ ପ୍ରାର୍ଥୀ ଏକ ବର୍ଷରୁ ଅଧିକ ସମୟ ରହିଥିବେ, ସେହି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ।
ଚରିତ୍ର ଯାଞ୍ଚ ପ୍ରକ୍ରିୟା କିପରି ହେବ?
ଜିଲ୍ଲାପାଳ ଜିଲ୍ଲାର ପୋଲିସ ମୁଖ୍ୟଙ୍କଠାରୁ ରିପୋର୍ଟ ନେଇ ନିଜର ରିପୋର୍ଟ ନିଯୁକ୍ତି କର୍ତ୍ତୃପକ୍ଷଙ୍କୁ ପଠାଇବେ ।ସାଧାରଣ ମାମଲାରେ ପୋଲିସ ଏବଂ ସ୍ଥାନୀୟ ଗୁଇନ୍ଦା ୟୁନିଟ୍ ନିଜ ରେକର୍ଡ ଆଧାରରେ ଯାଞ୍ଚ କରିବେ । ସାଧାରଣ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ନିଜେ ଉପସ୍ଥିତ ହେବା, ପଚରାଉଚରାର ସମ୍ମୁଖୀନ ହେବା କିମ୍ବା ଅତିରିକ୍ତ ଦଲିଲ ଦାଖଲ କରିବା ଆବଶ୍ୟକ ହେବ ନାହିଁ ।
ବିଶେଷ ମାମଲାରେ ନିଯୁକ୍ତି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ସ୍ତରରେ ଯାଞ୍ଚ କରାଯାଇପାରିବ । ଯଦି ପୋଲିସ ରିପୋର୍ଟ ପ୍ରାର୍ଥୀଙ୍କ ବିରୋଧରେ ଆସେ, ତେବେ ଜିଲ୍ଲାପାଳ ପ୍ରାର୍ଥୀଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେବେ। ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ରହିଥିବା ପ୍ରାର୍ଥୀଙ୍କ ଚରିତ୍ର ଯାଞ୍ଚ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମୁଖ୍ୟଙ୍କ ସହିତ ମଧ୍ୟ ପରାମର୍ଶ କରାଯିବ।
ପ୍ରାର୍ଥୀମାନେ ଆବେଦନପତ୍ର ଓ ସ୍ୱଘୋଷଣାପତ୍ରରେ ଉଲ୍ଲେଖ କରିବାକୁ ପଡ଼ିବ ଯେ, ସେମାନଙ୍କୁ କେବେ ଗିରଫ କରାଯାଇଛି କି ନାହିଁ, ସେମାନଙ୍କ ବିରୋଧରେ ଅଭିଯୋଗର ବିଚାର ପ୍ରକ୍ରିୟା ଚାଲିଛି କି ନାହିଁ ଏବଂ କୌଣସି ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କି ନାହିଁ। ପୂର୍ବରୁ କରିଥିବା ଚାକିରିରୁ ବହିଷ୍କାର ହୋଇଥିବା ବିଷୟ ଏବଂ ଅନୁଚିତ ଉପାୟ ଅବଲମ୍ବନ କରିବା କାରଣରୁ କୌଣସି ଆୟୋଗ କିମ୍ବା ବୋର୍ଡ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ଏହି ସୂଚନା ଲୁଚାଇଲେ ନିଯୁକ୍ତି ବାତିଲ କରାଯାଇପାରିବ। ପୂର୍ବରୁ ନିଯୁକ୍ତି ପାଇସାରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବାକୁ ପଡ଼ିବ।
ଯଦି କୌଣସି ପ୍ରାର୍ଥୀ ଆବେଦନପତ୍ରରେ ନିଜ ବିରୋଧରେ ଥିବା ଅପରାଧିକ ମାମଲା କିମ୍ବା ଗିରଫଦାରୀ ବିଷୟରେ ଉଲ୍ଲେଖ କରିନଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରୀ ପରୀକ୍ଷା, ପ୍ରମାଣପତ୍ର, ଯାଞ୍ଚ କିମ୍ବା ସ୍ୱଘୋଷଣା ଫର୍ମରେ ଲିଖିତ ଭାବରେ ସେହି ସୂଚନା ଦେଇଥାନ୍ତି, ତେବେ କେବଳ ଏହି କାରଣରୁ ତାଙ୍କର ପ୍ରାର୍ଥିତ୍ୱ ବାତିଲ କରାଯିବ ନାହିଁ।
