Hardeep Singh Puri: ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢିବେ ହରଦୀପ ପୁରୀ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ। ଏଲ୍. ମୁରୁଗନ୍ ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ।

ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। ଭାରତୀୟ ଜନତା ପାର୍ଟି ଏନେଇ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ବରିଷ୍ଠ ନେତା ଏଲ୍. ମୁରୁଗନ୍ ଅକ୍ଟୋବର ରେ ଇସ୍ତଫା ଦେବା ପରେ ଏହି ଆସନ ଖାଲି ପଡିଛି। ଯେଉଁଥିପାଇଁ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହରଦୀପ ସିଂହ ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ଜଣେ ପ୍ରମୁଖ ସଦସ୍ୟ। ବର୍ତ୍ତମାନ ସେ କେନ୍ଦ୍ରୀୟ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଛନ୍ତି। ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ର ଏକମାତ୍ର ଶିଖ୍ ମନ୍ତ୍ରୀ ହରଦୀପ ପୁରୀ ଏହା ପୂର୍ବରୁ ଉତ୍ତରପ୍ରଦେଶରୁ ନିର୍ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ବର୍ତ୍ତମାନର ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବାକୁ ଯାଉଛି।ଏହା ପୂର୍ବରୁ ବିଜେପି ଉତ୍ତରପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। କିନ୍ତୁ ସେହି ତାଲିକାରେ ହରଦୀପ ସିଂହ ପୁରୀଙ୍କ ନାମ ସ୍ଥାନ ପାଇନଥିଲା।ବିଜେପି ଏପର୍ଯ୍ୟନ୍ତ ହରଦୀପ ପୁରୀଙ୍କୁ ଦୁଇଥର ରାଜ୍ୟସଭାକୁ ପଠାଇଛି। ସେ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ, କିନ୍ତୁ ସେଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।ସେପଟେ ଏଲ୍. ମୁରୁଗନ୍ ରାଜ୍ୟସଭା ସଦସ୍ୟତା ଓ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ କେନ୍ଦ୍ରର ଏନ୍ଡିଏ ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି।
