Mercedes Hit and Run:ମର୍ସିଡିଜ୍ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପଦରୁ ହଟିଲେ ପୁଲିସ କମିଶନର
ସୋସିଆଲ ମିଡିଆରେ ରିଲ୍ ତିଆରି କରିବା ପାଇଁ ଦ୍ରୁତଗତିରେ କାର୍ ଚଳାଇବା ଅଭିଯୋଗରୁ ଆରମ୍ଭ ହୋଇଥିବା ମାମଲା ଏବେ କେରଳ ପୁଲିସ ପାଇଁ ଅଡୁଆ ସୃଷ୍ଟି କରିଛି। ଜଣେ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ନାବାଳକ ପୁଅ ସମ୍ପୃକ୍ତ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ତଦନ୍ତରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି।
କେରଳ:କେରଳର କୋଚିରେ ଚର୍ଚ୍ଚିତ ମର୍ସିଡିଜ୍ ହିଟ୍ ଆଣ୍ଡ୍ ରନ୍ ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ତଦନ୍ତରେ ଅବହେଳା ଓ ମାମଲାକୁ ଠିକ୍ ଭାବେ ପରିଚାଳନା ନକରିବା ଅଭିଯୋଗ ମଧ୍ୟରେ କୋଚି ସିଟି ପୁଲିସ କମିଶନର କାଳୀରାଜ ମହେଶ କୁମାରଙ୍କୁ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆର୍. ନିଶାନ୍ତିନୀଙ୍କୁ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ମାମଲାରେ ଚାରି ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଅଭିଯୋଗ ଅନୁସାରେ, ଜଣେ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ୧୭ ବର୍ଷୀୟ ନାବାଳକ ପୁଅ ମର୍ସିଡିଜ୍-ବେଞ୍ଜ୍ କାର୍ ଚଳାଉଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ଏଥିରେ ୫୫ ବର୍ଷୀୟ ଜୟବାଳକୃଷ୍ଣନ୍ଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ମାମଲାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ କରିବା ପରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା।ତଦନ୍ତକାରୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟିଥିବା ରାତିରେ ନାବାଳକ ଜଣକ ସୋସିଆଲ ମିଡିଆ ପାଇଁ ଏକ ରିଲ୍ ତିଆରି କରିବା ଉଦ୍ଦେଶ୍ୟରେ ଦ୍ରୁତଗତିରେ କାର୍ ଚଳାଇବାକୁ ବାହାରିଥିଲେ। ତାଙ୍କ ଫୋନ୍ରୁ ଦୁର୍ଘଟଣା ସମ୍ପର୍କିତ ଫୁଟେଜ୍ ଡିଲିଟ୍ କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି। ତେବେ ତଦନ୍ତକାରୀମାନେ ମୋବାଇଲ୍ରୁ ଏକ ଭିଡିଓ ଉଦ୍ଧାର କରିଥିବା କୁହାଯାଇଛି, ଯେଉଁଥିରେ ଦୁର୍ଘଟଣା ପୂର୍ବରୁ କାର୍ଟି ଦ୍ରୁତଗତିରେ ଯାଉଥିବା ଦେଖାଯାଉଛି। ଅନ୍ୟପକ୍ଷରେ, ଅକ୍ଟୋବର ୨୭ ତାରିଖରେ ଏଫ୍ଆଇଆର୍ରେ ମୋଟର ଯାନ ଆଇନର ଧାରା ୧୯୯ଏ ଯୋଡ଼ାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଧାରା ଅନୁସାରେ ନାବାଳକଙ୍କ ଅଭିଭାବକ କିମ୍ବା ଗାଡ଼ିର ମାଲିକଙ୍କ ଦାୟିତ୍ୱ ମଧ୍ୟ ବିଚାରକୁ ନିଆଯାଇପାରେ। ପୁଲିସର ପ୍ରାରମ୍ଭିକ ତଦନ୍ତରେ ତ୍ରୁଟି ଥିବା ସ୍ୱୀକାର କରାଯିବା ପରେ ମାମଲାରେ ଏକାଧିକ ପଦକ୍ଷେପ ନିଆଯାଇଛି। ଏବେ ତଦନ୍ତର ନିରପେକ୍ଷତା ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।
