Student Rescue From Top Hill:୫୦୦ ଫୁଟ ପାହାଡ଼ ଉପରୁ ଉଦ୍ଧାର ହେଲେ +୩ ଛାତ୍ର
ନୟାଗଡ଼ ରୁଖୀ ପାହାଡ଼ରେ ଫସିଥିଲେ ଛାତ୍ର, ରାତିରେ ଦମକଳ-ପୋଲିସ-ବନବିଭାଗର ଅପରେସନ । ୬ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ।
ନୟାଗଡ଼: ପାହାଡ଼ ଚଢ଼ିବାକୁ ଯାଇ ୫୦୦ ଫୁଟ ଉଚ୍ଚ ରୁଖୀ ପାହାଡ଼ ଉପରେ ଫସି ରହିଥିବା ଜଣେ +୩ ଛାତ୍ରଙ୍କୁ ଦୀର୍ଘ ସମୟର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ଉଦ୍ଧାର ହୋଇଥିବା ଛାତ୍ର ହେଲେ ଆଦିତ୍ୟ ଦୋରା। ସୂଚନା ଅନୁସାରେ, ଆଦିତ୍ୟ ବିକାଶ ହଷ୍ଟେଲରେ ରହି ପାଠପଢ଼ୁଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକୁଟିଆ ରୁଖୀ ପାହାଡ଼କୁ ବୁଲିବା ପାଇଁ ଯାଇଥିଲେ। ପାହାଡ଼ ଉପରକୁ ଧୀରେ ଧୀରେ ଚଢ଼ିବା ପରେ ସନ୍ଧ୍ୟା ହୋଇଯାଇଥିଲା। ଅନ୍ଧାର ହୋଇଯିବାରୁ ସେ ଫେରିବା ବାଟ ଖୋଜି ପାରିନଥିଲେ ଏବଂ ପାହାଡ଼ ଉପରେ ଫସି ଯାଇଥିଲେ। ଭୟଭୀତ ହୋଇ ଆଦିତ୍ୟ ତାଙ୍କ ବଡ଼ ଭାଇଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପରିବାର ତୁରନ୍ତ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଏହାପରେ ଟାଉନ ଥାନା ପୋଲିସ, ଦମକଳ ବାହିନୀ ଏବଂ ବନବିଭାଗ କର୍ମଚାରୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପାହାଡ଼ ଉପରେ ନେଟୱାର୍କ ସମସ୍ୟା ଥିବାରୁ ତାଙ୍କ ସହ ଠିକ୍ ଭାବେ ଯୋଗାଯୋଗ କରିବା ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ତଥାପି ଆଦିତ୍ୟଙ୍କଠାରୁ ଲୋକେସନ ନେଇ ଦମକଳ ବାହିନୀର କର୍ମଚାରୀମାନେ ବହୁ କଷ୍ଟରେ ପାହାଡ଼ ଉପରକୁ ଯାଇ ତାଙ୍କ ନିକଟରେ ପହଞ୍ଚିଥିଲେ। ତେବେ ଅନ୍ଧାର ଭିତରେ ପାହାଡ଼ରୁ ତଳକୁ ଫେରିବା ବାଟ ଖୋଜିବା ମଧ୍ୟ ଉଦ୍ଧାରକାରୀ ଦଳ ପାଇଁ କଷ୍ଟକର ହୋଇଥିଲା। ଏହି ସମୟରେ ବନବିଭାଗର ସହାୟତା ନିଆଯାଇଥିଲା। ପରେ ଦମକଳ ବାହିନୀ, ପୋଲିସ ଓ ବନବିଭାଗ କର୍ମଚାରୀ ମିଳିତ ଭାବେ ଆଦିତ୍ୟଙ୍କୁ ଧୀରେ ଧୀରେ ପାହାଡ଼ରୁ ତଳକୁ ଆଣିଥିଲେ।
ଉଦ୍ଧାର ଅଭିଯାନ ସମୟରେ ଉଦ୍ଧାରକାରୀ ଦଳକୁ ସାପ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଥିଲା। ଟିମ୍ ସଦସ୍ୟମାନେ ରାସ୍ତାରେ ଏକ ଅଜଗର ସାପ ଦେଖିଥିବା ବେଳେ ପାହାଡ଼ ଉପରୁ ଭାଲୁ ଓ ବାରହା ଭଳି ବନ୍ୟଜନ୍ତୁଙ୍କ ଶବ୍ଦ ଶୁଣିଥିଲେ। ଏତେସବୁ ବିପଦ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଜ ଜୀବନକୁ ବିପଦରେ ପକାଇ ଅଭିଯାନ ଜାରି ରଖିଥିଲେ। ଦୀର୍ଘ ସମୟର ଅଭିଯାନ ପରେ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଆଦିତ୍ୟଙ୍କୁ ସୁରକ୍ଷିତ ଭାବେ ପାହାଡ଼ ତଳକୁ ଅଣାଯାଇଥିଲା। ପୁଅକୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ପାଇ ପରିବାର ଲୋକେ ଖୁସି ପ୍ରକାଶ କରିବା ସହ ମିଠା ବାଣ୍ଟିଥିଲେ। ଆଦିତ୍ୟଙ୍କ କହିବା ଅନୁସାରେ, ସେ ପୂର୍ବରୁ ସାଙ୍ଗମାନଙ୍କ ସହ ରୁଖୀ ପାହାଡ଼ ଚଢ଼ିଥିଲେ। କିନ୍ତୁ ଏଥର ଏକୁଟିଆ ପାହାଡ଼ ଉପରକୁ ବୁଲିବାକୁ ଯାଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ଫେରିବା ବାଟ ପାଇନଥିଲେ।
