ଯୁବକଙ୍କୁ ମାରି ହତ୍ୟା, ନଦୀରେ ଫିଙ୍ଗିଦେଲେ ମୃତଦେହ
ନୟାଗଡ଼ରେ ଏକଘରକିଆକୁ ନେଇ ବିବାଦ। ପିଟିପିଟି ଯୁବକ ହତ୍ୟା କଲେ ଗାଁର କିଛି ଯୁବକ, ନଦୀରେ ଫିଙ୍ଗିଦେଲେ ମୃତଦେହ, ପୋଲିସର ତଦନ୍ତ।
ନୟାଗଡ଼: କଙ୍ଗାରୁ କୋର୍ଟ ବା ଏକଘରକିଆ କୁ ନେଇ ହତ୍ୟାକାଣ୍ଡ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ନୟାଗଡ଼ ସଦର ଥାନା ଅଧୀନ ଡାଳିମ୍ବ ମଡ଼ା ଗାଁରେ। ଘଟଣା ଅନୁସାରେ, ସେହି ଗାଁର ଅଭିମନ୍ୟୁ ଓ ତାର ପରିବାରକୁ ଏକଘରକିଆ ରହିବାକୁ ଗାଁ ପକ୍ଷରୁ ନିଷ୍ପତି ହୋଇଥିଲା। ହେଲେ ଅଭିମନ୍ୟୁ ଏହାକୁ ନ ମାନି ଅନ୍ୟ ଜଣେ ଏକଘରକିଆ ରହିଥିବା ପରିବାର ସହ କଥାହେବାରୁ ତାଙ୍କୁ ତାଗିଦ କରାଯାଇଥିଲା, ହେଲେ ଅଭିମନ୍ୟୁ ଏହାକୁ ଖାତିର ନକରି ଓଲଟା ଗାଳିଗୁଲଜ କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ରକରି ଗାଁର କିଛି ଯୁବକ ମେଳ ହୋଇ ଗତକାଲି ରବିବାରରେ ମେଡ଼ିସିନ କିଣିବାକୁ ଚାହାଳୀ ଛକକୁ ଯାଇଥିବାବେଳେ ସେଠାରୁ ଅଭିମନ୍ୟୁଙ୍କୁ ଉଠାଇ ଆଣି ଗାଁ କୋଠାଘରେ ନିସ୍ତୁକ ମାଡାମରିଥିଲେ, ଫଳରେ ସେଠାରେ ଅଭିମନ୍ୟୁଙ୍କର ମୃତ୍ୟୁ ହେବା ପରେ ଅଭିଯୁକ୍ତ ମାନେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ। ସେପଟେ ଅଭିମନ୍ୟୁ ଘରକୁ ନଫେରିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ କେନ୍ଦ୍ର କରି ସଦର ଥାନା ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଆଜି ନଦୀରୁ ଅଭିମନ୍ୟୁର ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଉକ୍ତ ଘଟଣାରେ ପୋଲିସ ଗାଁର 8 ଜଣ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି କରିଛି।
