ରଜ ମହୋତ୍ସବ ଉଦ୍ଯାପନୀ ସନ୍ଧ୍ୟାରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଯୋଗଦାନ
ବାସୁଦେବପୁର ପୌରପାଳିକା ପକ୍ଷରୁ ଦୁଇ ଦିନ ଧରି ଆୟୋଜିତ ରଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

ବାସୁଦେବପୁର:ଦୁଇ ଦିନ ଧରି ଆୟୋଜିତ ରଜ ମହୋତ୍ସବ ଉଦ୍ଯାପିତ । ବାସୁଦେବପୁର ପୌରପାଳିକା ପକ୍ଷରୁ ଦୁଇ ଦିନ ଧରି ଆୟୋଜିତ ରଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମହୋତ୍ସବର ପ୍ରଥମ ଦିନରେ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରଜ ପର୍ବର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏଭଳି କାର୍ଯ୍ୟକ୍ରମ ସାମାଜିକ ସମ୍ପ୍ରୀତି ଓ ଓଡ଼ିଆ ପରମ୍ପରାକୁ ସୁଦୃଢ଼ କରୁଥିବା କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ପୌରାଧ୍ୟକ୍ଷା ନିବେଦିତା ବେହେରା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ରଜ ମହୋତ୍ସବକୁ ସଫଳ କରିଥିବା ପାଇଁ ଜନସାଧାରଣ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

