ଚଳନ୍ତା ଟ୍ରକରେ ନିଆଁ, ଜିଆଇ ତାର ବୋଝେଇ ଗାଡି ଜଳି ପାଉଁଶ
ଚଳନ୍ତା ଜିଆଇ ତାର ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ଗାଡ଼ିଟି ଜଳି ପାଉଁଶ ହୋଇଯାଇଛି। ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର ଓ ହେଲ୍ପର
ଛେଣ୍ଡିପଦା : ଅନୁଗୁଳ–ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ବଡ଼ ଅଘଟଣ । ଚଳନ୍ତା ଜିଆଇ ତାର ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ଗାଡ଼ିଟି ଜଳି ପାଉଁଶ ହୋଇଯାଇଛି। ଡ୍ରାଇଭର ଓ ହେଲ୍ପର ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି। ଛେଣ୍ଡିପଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଜରପଡା ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ବୁଧୁବାର ସକାଳେ ଅନୁଗୁଳ–ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କତଡା ଡାକବଙ୍ଗଳା ନିକଟରେ ଏକ ଜିଆଇ ତାର ବୋଝେଇ ଟ୍ରକ ହଠାତ୍ ଅଗ୍ନିକାଣ୍ଡରେ ପଡ଼ିଥିଲା। ଚଳନ୍ତା ଅବସ୍ଥାରେ ଟ୍ରକରେ ନିଆଁ ଲାଗିଯିବାରୁ ଚାଳକ ଓ ସହାୟକ ତୁରନ୍ତ ଗାଡ଼ି ରୋକି ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ଟ୍ରକର ଟାୟାର ଫାଟି ଯୋଗୁଁ ଚଳନ୍ତା ଅବସ୍ଥାରେ ନିଆଁ ବାହାରିଥିବା ସ୍ଥାନୀୟ ଲୋକଙ୍କ ସୂଚନା ରହିଛି । ନିଆଁ ଏତେ ଭୟାବହ ଥିଲା ଯେ କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଗାଡ଼ି ଜଳିଯାଇଥିଲା। ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରକ ସହିତ ଥିବା ସମସ୍ତ ଜିଆଇ ତାର ପୋଡ଼ି ନଷ୍ଟ ହୋଇସାରିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣାର ସଠିକ କାରଣ ଜାଣିବା ପାଇଁ ଜରପଡା ପୋଲିସ ତଦନ୍ତ ଜାରି ରଖିଛି।

