Economic Review Report: ବିଶ୍ୱ ବଜାରର ଅସ୍ଥିରତା ଭିତରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଉପରେ ଚାପ
ଯେଉଁଠି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସେପ୍ଟେମ୍ବର ମାସର ଆର୍ଥିକ ସମୀକ୍ଷା ରିପୋର୍ଟ ଅନୁସାରେ ଦେଶର ଭିତର ଅଭିବୃଦ୍ଧି ହେଉଛି ,ସେଇଠି ବିଶ୍ୱ ବଜାର କୁ ନେଇ କମୁନି ଚିନ୍ତା | ଭାରତୀୟ ମୁଦ୍ରା 'ଟଙ୍କା' ଏବଂ ବିଦେଶୀ ପୁଞ୍ଜିନିବେଶ ଉପରେ ଏକ ବଡ଼ ଧରଣର ଚାପ ସୃଷ୍ଟି କରିଛି ଆମେରିକାର କଠୋର ଆନ୍ତର୍ଜାତୀୟ ରଣନୀତି | ଜିଡିପି ୭.୮% ଥିଲେ ବି ଚିନ୍ତାଜନକ ବାହ୍ୟ ବଜାର |
ନୂଆଦିଲ୍ଲୀ: କେନ୍ଦ୍ରୀୟ ବିତ୍ତ ମନ୍ତ୍ରାଳୟ ଦ୍ୱାରା ଜାରି ସେପ୍ଟେମ୍ବର ମାସର ମାସିକ ଅର୍ଥନୀତି ସମୀକ୍ଷା ରିପୋର୍ଟରେ ବିଶ୍ୱ ବଜାରର ଅନିଶ୍ଚିତତାକୁ ନେଇ ଦେଶକୁ ସତର୍କ କରାଯାଇଛି | ରିପୋର୍ଟ ଅନୁଯାୟୀ,ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦରବୃଦ୍ଧି ଏବଂ ଗ୍ଲୋବାଲ ବଣ୍ଡ୍ ୟିଲ୍ଡ୍ରେ ବୃଦ୍ଧି ଯୋଗୁଁ ଭାରତର ବାହ୍ୟ ଆର୍ଥିକ ପରିବେଶ ପ୍ରତିକୂଳ ହେଇଯାଇଛି, ଯାହାଦ୍ୱାରା ଭାରତୀୟ ମୁଦ୍ରା ଆଉ ବିଦେଶୀ ପୁଞ୍ଜି ପ୍ରବାହ ଉପରେ ସ୍ୱଳ୍ପକାଳୀନ ସଂକଟ ବଢିଯାଇଛି | ଯଦିଓ ବାହ୍ୟ ବଜାର ଅବସ୍ଥା ଭଲନାହିଁ ତଥାପି ଦେଶର ଆଭ୍ୟନ୍ତରୀଣ ଆର୍ଥିକ ଅବସ୍ଥା ମଜଭୁତ ରହିଛି,କିନ୍ତୁ ଅଭିବୃଦ୍ଧିକୁ ହାଲୁକା ଭାବେ ନନେବାକୁ ଚେତାବନୀ ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ |
ଏହି ସଙ୍କଟ ପଛରେ ସବୁଠୁ ବଡ କାରଣ ହେଉଛି ବିକଶିତ ଦେଶମାନଙ୍କ ଦ୍ୱାରା ନିଜ ନିର୍ମାଣ କ୍ଷେତ୍ର ପାଇଁ ବୈଶ୍ୱିକ ପୁଞ୍ଜିକୁ ସୁରକ୍ଷିତ ରଖିବା ଆଉ ବୈଶ୍ୱିକ ସଂକଟକୁ ଟାଳିବାକୁ ବାଲାନ୍ସ ଆପ୍ରୋଚ ଜାରି ରଖିବା। ଏହା ଛଡା ଭାରତ ଆଉ ଆମେରିକା ମଧ୍ୟରେ ବ୍ୟାପାରିକ ସମ୍ବନ୍ଧ ମଧ୍ୟ ଅସହଜ ମନେହେଉଛି | ସମୀକ୍ଷା ରିପୋର୍ଟରେ ଆମେରିକାର ସାଂସଦରେ ଗୃହିତ ହୋଇଥିବା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା 'ଗ୍ରାହାମ ବିଲ୍' (Graham Bill) ବିଷୟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଏହି କାନୁନ ଆମେରିକୀ ରାଷ୍ଟ୍ରପତିଙ୍କୁ ଅଶୋଧିତ ତୈଳ କ୍ରୟ କରୁଥିବା ଦେଶ ଉପରେ 100 ପ୍ରତିଶତ ଶୁକ୍ଳ ଲଗାଇବାର କ୍ଷମତା ଦେଉଛି | କାରଣ ଭାରତ ଅଧିକ ମାତ୍ରାରେ ରୁଷୀୟ ତୈଳ ଆମଦାନୀ କରୁଥିବାରୁ ଏହି ନିୟମ ଭାରତୀୟ ରପ୍ତାନୀକୁ ମଧ୍ୟ ପ୍ରଭାବିତ କରିପାରେ | ଏହା ବ୍ୟତୀତ ବିଶ୍ୱର ଅଧିକାଂଶ ଦେଶ ଏବେ AI ନିବେଶ ଆଡକୁ ଆକର୍ଷିତ ହେଉଛନ୍ତି ,ଯାହାଦ୍ୱାରା ବିକାଶଶୀଳ ଦେଶ ଗୁଡିକପାଇଁ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଯୋଗାଡ଼ କରିବା କଠିନ ହେଇଯାଉଛି |
ବର୍ତ୍ତମାନର ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଏକ ଆଶ୍ୱସ୍ତିକର ବିଷୟ ହେଉଛି ଯେ ଭାରତର ଘରୋଇ ଅର୍ଥନୀତି ରେ ଅଭିବୃଦ୍ଧି ହେଇଛି । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ, ଭାରତର ବାସ୍ତବ ଜିଡିପି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ବାସ୍ତବ ମୋଟ ମୂଲ୍ୟଯୁକ୍ତ ୮.୨ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ କରାଯାଇଛି: ଯେପରିକି ଉତ୍ପାଦନ କ୍ଷେତ୍ରରେ ୯.୨%, ନିର୍ମାଣ କ୍ଷେତ୍ରରେ ୭.୭% ଏବଂ ସେବା କ୍ଷେତ୍ରରେ ୧୦% ଇତ୍ୟାଦି ।
ଦେଶୀୟ ଚାହିଦା ବୃଦ୍ଧି ଯୋଗୁଁ ଘରୋଇ ଉପଭୋଗ ୭.୧% ଏବଂ 'ଗ୍ରସ୍ ଫିକ୍ସଡ୍ କ୍ୟାପିଟାଲ୍ ଫର୍ମେସନ୍' (GFCF) ୧୧.୯% ହାରରେ ବୃଦ୍ଧି ପାଇଛି। ଜୁଲାଇ ମାସରେ ଶିଳ୍ପ ଉତ୍ପାଦନ (IIP) ମଧ୍ୟ ୬.୭% ବୃଦ୍ଧି ପାଇଛି। ବାହ୍ୟ ଆର୍ଥିକ ଅସ୍ଥିରତା ସତ୍ତ୍ୱେ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି ଏବଂ ସେପ୍ଟେମ୍ବର ୧୮ ସୁଦ୍ଧା ଏହା ସର୍ବକାଳୀନ ସର୍ବାଧିକ ସ୍ତର ୭୬୫.୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ମନ୍ତ୍ରଣାଳୟର ମତ ଅନୁଯାୟୀ, ଯଦିଓ ଭାରତ ପ୍ରତି ଅନ୍ତର୍ଜାତୀୟ ନିବେଶକଙ୍କ ଆଗ୍ରହ ଏବେମଧ୍ୟ ରହିଛି, ତଥାପି ଭୂ-ରାଜନୈତିକ ଉତ୍ତେଜନା ଏବଂ ଶକ୍ତି ମୂଲ୍ୟରେ ଅନିୟମିତତା କାରଣରୁ ନିବେଶକମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛନ୍ତି।
