Kotia Issue : କୋଟିଆକୁ ନେଇ ଗର୍ଜିଲେ ମନ୍ତ୍ରୀ, ସବୁ ବିକଳ୍ପ ଖୋଲା
କୋଟିଆକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ ! ଓଡ଼ିଶାର ସ୍ୱାର୍ଥ ପାଇଁ ଆଇନଗତ ଲଢ଼େଇ ସହ ରାଜନୈତିକ ଲଢ଼େଇ ପାଇଁ ବି ପ୍ରସ୍ତୁତ ସରକାର । ଏବେ କୋଟିଆ ପ୍ରସଙ୍ଗରେ ଆଗକୁ କ’ଣ ହେବ ବଡ଼ ପଦକ୍ଷେପ?

କୋଟିଆକୁ ନେଇ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ | କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଆଗାମୀ ଦିନରେ ସମସ୍ତ ସମ୍ଭାବ୍ୟ ବିକଳ୍ପକୁ କାର୍ଯ୍ୟକାରୀ କରାଯିବ। ଆବଶ୍ୟକ ପଡ଼ିଲେ ରାଜନୈତିକ ଲଢ଼େଇ ମଧ୍ୟ କରାଯିବ। ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ | ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଏହି ପ୍ରସଙ୍ଗରେ ଲଢ଼େଇ ଜାରି ରହିଥିଲେ ମଧ୍ୟ ଆଶାନୁରୂପ ଫଳ ମିଳିନାହିଁ। ପରିବର୍ତ୍ତିତ ପରିସ୍ଥିତିରେ ଏବେ ନ୍ୟାୟିକ ପ୍ରକ୍ରିୟା ଆପଣାଇବା ଦିଗରେ ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଆଲୋଚନା ଚାଲିଛି। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳକୁ ସାଙ୍ଗରେ ନେଇ ଲଢ଼େଇ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି | ପ୍ରଶାସନିକ ସ୍ତରରେ ଏହି ଲଢ଼େଇ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ତେବେ ସମସ୍ତ ରଣକୌଶଳ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି |
୨୦୦୬ର ମାମଲା ଓ ୨୦୨୨ର ଅବମାନନା ମାମଲା ଉପରେ ନଜର
କୋଟିଆ ପ୍ରସଙ୍ଗର ଆଇନଗତ ଦିଗ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ମୂଳ ମାମଲା ଖାରଜ ହୋଇଥିଲା। ତେବେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଥିଲେ। ୨୦୨୨ ମସିହାରେ ଆନ୍ଧ୍ରପ୍ରଦେଶ କୋଟିଆର ଏକ ଅଞ୍ଚଳରେ ନିର୍ବାଚନ କରାଇବାକୁ ଉଦ୍ୟମ କରିବା ପରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଦାଲତରେ ଅବମାନନା ମାମଲା ଦାଖଲ କରାଯାଇଥିଲା। ତେବେ ଉକ୍ତ ମାମଲା ଆଗକୁ ବଢ଼ିପାରି ନଥିଲା।
ଆନ୍ଧ୍ରରେ କମ୍ ମତଦାନ, ଓଡ଼ିଶାରେ ୮୭ ପ୍ରତିଶତ
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୨ରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଯାଇଥିବା ସମୟରେ ମତଦାନ ହାର ମାତ୍ର ୧୨ରୁ ୧୩ ପ୍ରତିଶତ ମଧ୍ୟରେ ରହିଥିଲା। ଅନ୍ୟପକ୍ଷରେ, ଓଡ଼ିଶା ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ସମୟରେ ୮୭ ପ୍ରତିଶତ ମତଦାନ ହୋଇଥିଲା। କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଓ ଆଗାମୀ ରଣନୀତି ନିର୍ଦ୍ଧାରଣକୁ ନେଇ ଆଜି ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ପ୍ରସଙ୍ଗର ପରବର୍ତ୍ତୀ ପଦକ୍ଷେପ ଓ ଆଇନଗତ ଲଢ଼େଇର ଦିଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
