Illegal Sand Mining : ବେଆଇନ ବାଲି ଖନନ ରୋକିବାକୁ ଯାଇ ହତ୍ୟା ଧମକ
ଜଳେଶ୍ୱରରେ ବାଲି ମାଫିଆଙ୍କ ଦାଦାଗିରି | ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଯାଇ ଖଣି ଅଧିକାରୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଅଭିଯୋଗ | ଥାନାରେ ଏତଲା, ତଦନ୍ତ ଜାରି |
ବାଲି ମାଫିଆଙ୍କ ଦାଦାଗିରିକୁ ନେଇ ପୁଣି ଚର୍ଚ୍ଚାରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ | ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଯାଇଥିବା ଖଣି ବିଭାଗର ଅଧିକାରୀଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି | ଏନେଇ ଖଣି ଅଧିକାରୀ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ଭାନୁପୁର ନିକଟରେ ବେଆଇନ ବାଲି ଉତ୍ତୋଳନ କରାଯାଇ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ଆସିଥିଲା | ଏହାପରେ ବାଲେଶ୍ୱର ଖଣି ଅଧିକାରୀ ଜଗନ ବେହେରାଙ୍କ ନିର୍ଦ୍ଦେଶରେ ବସ୍ତାର ଜୁନିୟର ଖଣି ଅଧିକାରୀ ତାପସ ବେହେରା ନିଜ ଡ୍ରାଇଭରଙ୍କ ସହ ଚଢ଼ାଉ ପାଇଁ ପହଞ୍ଚିଥିଲେ | ଅଭିଯୋଗ ଅନୁସାରେ, ଖଣି ବିଭାଗର ଗାଡ଼ି ଆଗରେ ଅନ୍ୟ ଗାଡ଼ି ରଖି ରାସ୍ତା ଅବରୋଧ କରାଯାଇଥିଲା | ଫଳରେ ବାଲି ବୋଝେଇ ହାଇୱାଟି ଖସି ପଳାଇଥିଲା | ଏଥିସହ ଅଧିକାରୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ମଧ୍ୟ ଅଭିଯୋଗ ରହିଛି | ଫେରିବା ସମୟରେ ଦିନକୃଷ୍ଣ ଓଝା ନାମକ ବ୍ୟକ୍ତି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଖଣି ଅଧିକାରୀ କହିଛନ୍ତି | ଏବେ ପୋଲିସର ତଦନ୍ତ ଓ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା | ବେଆଇନ ବାଲି ଖନନ ଉପରେ ରୋକ୍ ଲଗାଇବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି |
