Meets MS Dhoni Mid-Flight:ଉଡ଼ାଣ ସମୟରେ ଧୋନିଙ୍କୁ ଭେଟିଲେ ଏୟାର୍ ହୋଷ୍ଟେସ୍
ଧୋନିଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଲେ ଏୟାର ହୋଷ୍ଟେସ୍, କହିଲେ ପୂରଣ ହେଲା ସ୍ବପ୍ନ | ଜଣେ ଇଣ୍ଡିଗୋ ଏୟାର ହୋଷ୍ଟେସଙ୍କର ବିମାନ ଯାତ୍ରା ମଧ୍ୟରେ ଏମଏସ ଧୋନିଙ୍କ ସହ ଏକ ଅବିସ୍ମରଣୀୟ ସାକ୍ଷାତ ହୋଇଥିଲା, ଯିଏ ତାଙ୍କ କାମର ଚାପ ବିଷୟରେ ଶୁଣିଥିଲେ ଏବଂ ପରାମର୍ଶ ମଧ୍ୟ ଦେଇଥିଲେ | ଯାହା ଦେଖି ଧୋନିଙ୍କ ପ୍ରଶଂସକ ମାନେ ଈର୍ଷା କରୁଛନ୍ତି |
ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମଝି ଆକାଶରେ ଭେଟିବାର ସୁଯୋଗ ପାଇଲେ ଇଣ୍ଡିଗୋ ଏୟାରଲାଇନ୍ସର ଏୟାର ହୋଷ୍ଟେସ୍ ଐଶ୍ୱର୍ଯ୍ୟା ସିଂହ। ତେବେ ଏହି ସାକ୍ଷାତ କେବଳ ଜଣେ ପ୍ରିୟ କ୍ରିକେଟର୍ଙ୍କୁ ନିକଟରୁ ଦେଖିବାର ଅନୁଭୂତି ହୋଇ ରହିନଥିଲା। କାମର ଏକ କଷ୍ଟକର ଦିନ ବିଷୟରେ କହିବା ସମୟରେ ଧୋନିଙ୍କ ପ୍ରତିକ୍ରିୟା ଏହି ଆଲୋଚନାକୁ ସ୍ୱତନ୍ତ୍ର କରିଥିଲା। କ୍ରିକେଟ୍ ତାରକା ତାଙ୍କ ଚିନ୍ତା ଶୁଣି ତାଙ୍କୁ ପରାମର୍ଶ ଦେଲେ, ଯାହା ଐଶ୍ୱର୍ଯ୍ୟାଙ୍କର କଷ୍ଟକର ଦିନଟି ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିଥିଲା।
ଐଶ୍ୱର୍ଯ୍ୟା ଏହି ସାକ୍ଷାତର ଏକ ଭିଡିଓ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓରେ ସେ ଧୋନିଙ୍କୁ ‘ଦି ମିଥ୍ ଆଣ୍ଡ୍ ଦି ଲେଜେଣ୍ଡ୍’ ବୋଲି ପରିଚୟ ଦେଇ ଏହି ସାକ୍ଷାତକୁ ନିଜ "ସ୍ୱପ୍ନ ସାକାର ହେବା" ବୋଲି କ୍ୟାପ୍ସନ ଦେଇଛନ୍ତି । କ୍ରିକେଟ୍ ଜଗତରେ ‘କ୍ୟାପ୍ଟେନ୍ କୁଲ୍’ ଭାବେ ପରିଚିତ ଧୋନି ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିଥିଲେ ଏବଂ କାର୍ଯ୍ୟକ୍ଷେତ୍ରରେ କଠିନ ଦିନଗୁଡ଼ିକୁ କିପରି ସାମ୍ନା କରିବାକୁ ହୁଏ, ସେନେଇ ପରାମର୍ଶ ଦେଇଥିଲେ।
ଏୟାର ହୋଷ୍ଟେସ୍ଙ୍କ ପାଇଁ ଯାତ୍ରୀଙ୍କ ସେବା ଏବଂ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ଦାୟିତ୍ୱ ତୁଲାଇବା ସହଜ ନୁହେଁ। ଏଭଳି ସମୟରେ ଧୋନିଙ୍କ ପରାମର୍ଶ ତାଙ୍କୁ ଆଶ୍ୱସ୍ତି ଦେଇଥିଲା। କଥାବାର୍ତ୍ତା ମଧ୍ୟରେ ଧୋନି ଐଶ୍ୱର୍ଯ୍ୟାଙ୍କ ମୁହଁରେ ହସ ଫୁଟାଇବାଭଳି ବିମାନ ଯାତ୍ରା ସମ୍ପର୍କିତ ଏକ ମଜାଳିଆ କଥା ମଧ୍ୟ କହିଥିଲେ | ତେବେ,ପଡ଼ିଆରେ ଶାନ୍ତ ରହି ଚାପକୁ ସାମ୍ନା କରିବା ପାଇଁ ଜଣାଶୁଣା ଧୋନିଙ୍କ ଏହି ସରଳ ଓ ଆତ୍ମୀୟ ବ୍ୟବହାର ପ୍ରଶଂସକଙ୍କୁ ତାଙ୍କର ଅନ୍ୟ ଏକ ରୂପ ଦେଖାଇଛି। ଐଶ୍ୱର୍ଯ୍ୟାଙ୍କ ପାଇଁ ଏହା କେବଳ ଜଣେ କ୍ରିକେଟ୍ କିମ୍ବଦନ୍ତୀଙ୍କୁ ଭେଟିବା ନୁହେଁ, ବରଂ ଜୀବନ ସାରା ମନେ ରଖିବା ଭଳି ଏକ ଅନୁଭୂତି ହୋଇ ରହିଛି।
