Akhoijam Controversy : ମହିଳାଙ୍କ ନ୍ୟାୟ ପ୍ରସଙ୍ଗରେ କଂଗ୍ରେସକୁ ପ୍ରଶ୍ନବାଣ, ରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା!
ଜେଏନ୍ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ରାଜନୀତି ତେଜିଛି। ତାଙ୍କ ଗିରଫ ଦାବିରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି।
ଜେଏନ୍ୟୁ ପ୍ରଫେସର ତଥା ମଣିପୁରର ଇନର ମଣିପୁର ଲୋକସଭା ଆସନର କଂଗ୍ରେସ ସାଂସଦ ଡକ୍ଟର ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ରାଜନୀତି ତେଜିଛି। ଏହି ଘଟଣାରେ ତାଙ୍କ ଗିରଫ ଦାବି କରିବା ସହ କଂଗ୍ରେସ ଦଳର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ମହିଳା ମୋର୍ଚ୍ଚା। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେଏନ୍ୟୁର ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କୁ ବିଶ୍ୱବିଦ୍ୟାଳୟ ସେବାରୁ ବହିଷ୍କାର କରାଯାଇଥିବା ଖବରକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଗିରଫ ଏବଂ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛି ଦଳ।ବିକ୍ଷୋଭ ସମୟରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀ ଓ ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିସହ କଂଗ୍ରେସ ଦଳ ଏହି ମାମଲାରେ କାହିଁକି କୌଣସି ପଦକ୍ଷେପ ନେଇନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।
ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ୱରୀୟା ବିଶ୍ୱାଳ କହିଛନ୍ତି, ଏତେ ଗମ୍ଭୀର ଅଭିଯୋଗ ସତ୍ତ୍ୱେ ରାହୁଲ ଗାନ୍ଧୀ ଚୁପ୍ କାହିଁକି? ଏହି ଘଟଣାରେ ଓଡ଼ିଶା କଂଗ୍ରେସର ଆଭିମୁଖ୍ୟ କ’ଣ ଏବଂ ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଉଥିବା କଂଗ୍ରେସ ଏବେ ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ଓ ନିନ୍ଦନୀୟ ବୋଲି ଅଭିହିତ କରି ଐଶ୍ୱରୀୟା କଂଗ୍ରେସକୁ ମହିଳା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ସଂସଦରେ ମହିଳା ସମ୍ବନ୍ଧୀୟ ବିଲ୍କୁ ବିରୋଧ ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ଉଠାଇ ସେ କଂଗ୍ରେସକୁ ଘେରିଛନ୍ତି।
ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଥିବା ବେଳେ ଏହି ମାମଲାରେ କଂଗ୍ରେସର ପ୍ରତିକ୍ରିୟା ଏବଂ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ଏବେ ନଜର ରହିଛି।
