ଧାମରା ମତ୍ସ୍ୟ ପୋତାଶ୍ରୟରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ମାଛଧରା ଟ୍ରଲର
ଭଦ୍ରକ ଜିଲ୍ଲାର ଧାମରା ମତ୍ସ୍ୟ ପୋତାଶ୍ରୟରେ ମାଛଧରା ଟ୍ରଲରଟି କ୍ରେଡେଲ ଉପରେ ଉଠାଯାଇ କାଠ କାମ ହେଉଥିବା ସମୟରେ ଅସାବଧାନତାରୁ ନିଆଁ ଲାଗିଥିବା ସନ୍ଦେହ ।
ଭଦ୍ରକ: ଧାମରା ମତ୍ସ୍ୟ ପୋତାଶ୍ରୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ମାଛଧରା ଟ୍ରଲର। ଭଦ୍ରକ ଜିଲ୍ଲାର ଧାମରା ମତ୍ସ୍ୟ ପୋତାଶ୍ରୟରେ ଏକ ମାଛଧରା ଟ୍ରଲରରେ ହଠାତ ନିଆଁ ଲାଗି ଅଘଟଣ ଘଟିଛି। ଟ୍ରଲରଟି କ୍ରେଡେଲ ଉପରେ ଉଠାଯାଇ କାଠ କାମ ହେଉଥିବା ସମୟରେ ଅସାବଧାନତାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କିଛି ମୁହୂର୍ତ୍ତ ମଧ୍ୟରେ ଟ୍ରଲରଟି ହୁତୁହୁତୁ ହୋଇ ଜଳିଉଠିଥିଲା। ଫଳରେ ଟ୍ରଲରର କ୍ୟାବିନ ଏବଂ ଉପରଭାଗ ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣା ସୂଚନା ପାଇବା ପରେ ଧାମରା ଦମକଳ ବାହିନୀ ଏବଂ ଧାମରା ବନ୍ଦର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କଷ୍ଟକର କଷ୍ଟ ହୋଇ ପଡିଥିଲା ଫଳରେ ଟ୍ରଲରର ଉପର ଭାଗ ସମ୍ପୂର୍ଣ ଜଳି ପୋଡି ଯାଇଛି। ଜଳିଯାଇଥିବା ଟ୍ରଲରଟି ଧାମରା ଅଞ୍ଚଳର ସପନ ସିଟଙ୍କର ବୋଲି ଜଣାପଡ଼ିଛି। କିପରି ନିଆଁ ଲାଗିଲା ସେଥିରେ ସ୍ପଷ୍ଟତା ନାହିଁ ଏବଂ ଘଟଣାକୁ ନେଇ ତଦନ୍ତ ଚାଲିଛି। ପୋତାଶ୍ରୟ ମଧ୍ୟରେ ଏହି ଅଗ୍ନିକାଣ୍ଡ ଯୋଗୁଁ ମତ୍ସ୍ୟଜୀବୀ ମହଳରେ ଚିନ୍ତା ଓ ଆତଙ୍କ ସୃଷ୍ଟି ହୋଇଛି।
