PRAYASS Focuses : ମା’ ଓ ଶିଶୁ ସୁରକ୍ଷାରେ ସରକାରଙ୍କ ଫୋକସ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ‘ପ୍ରୟାସ’ ବୈଠକ ଅନୁଷ୍ଠିତ। ସ୍ୱାସ୍ଥ୍ୟ, ପୁଷ୍ଟି ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ, ପୁଷ୍ଟିହୀନତା ଦୂରୀକରଣ ଓ ତୃଣମୂଳ ସ୍ତରରେ ସେବାକୁ ସୁଦୃଢ଼ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ଆଜି ସାମାଜିକ କ୍ଷେତ୍ରର ବିକାଶ ଓ ତୃଣମୂଳ ସ୍ତରର ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା | ମାତୃ ମୃତ୍ୟୁହାରକୁ ସର୍ବନିମ୍ନ ସ୍ତରକୁ ଆଣିବା ସହ ଶିଶୁ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଅଭିଯାନ ଭିତ୍ତିକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ପ୍ରସୂତି ଏବଂ ନବଜାତ ଶିଶୁଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା, ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱବୋଧ ବଢ଼ାଇବା ଏବଂ ମେଡିକାଲଗୁଡ଼ିକରେ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି। ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଯୋଗୁଁ ଦେଖାଦେଉଥିବା ଷ୍ଟଣ୍ଟିଂ ଓ ୱେଷ୍ଟିଂ ସମସ୍ୟାର ମୁକାବିଲା ପାଇଁ ‘ସୁପୋଷିତ ଓଡ଼ିଶା’ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଦିଆଯାଉଥିବା ଖାଦ୍ୟ ଓ ପୁଷ୍ଟିକର ସାମଗ୍ରୀର ଗୁଣବତ୍ତା ସହ ଏହାର ନିୟମିତ ନିରୀକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟରେ ଦୀର୍ଘମିଆଦି ଉନ୍ନତି ଆଣିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ଆଲୋଚନା ହୋଇଛି।ପ୍ରାଥମିକ ସ୍ତରରୁ ପିଲାମାନଙ୍କ ମୌଳିକ ଶିକ୍ଷାର ମାନ ବଢ଼ାଇବା ସହ ଶିକ୍ଷକମାନେ ଶିକ୍ଷାଦାନ ଓ ଶିକ୍ଷାର ମୂଳ କାର୍ଯ୍ୟକ୍ରମ ଉପରେ ପୂର୍ଣ୍ଣ ଧ୍ୟାନ ଦେବାକୁ କୁହାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମାନରେ ଉନ୍ନତି ଆସିବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍. ତିରୁମାଲା ନାଏକ ଏବଂ ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ।ସାମାଜିକ କ୍ଷେତ୍ରର ମୌଳିକ ସେବାକୁ ଅଧିକ ପ୍ରଭାବଶାଳୀ କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ, ପୁଷ୍ଟି ଓ ଶିକ୍ଷା ସୁବିଧା ପହଞ୍ଚାଇବା ଦିଗରେ ‘ପ୍ରୟାସ’ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଧରାଯାଉଛି।
