ଧୀରଜ ସେଠ୍ ନୂତନ ସ୍ଥଳସେନା ମୁଖ୍ୟ, ଜେନେରାଲ ଉପେନ୍ଦ୍ର ଦିୱେଦୀଙ୍କ ଅବସର
ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ସ୍ନାତକ ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠ୍ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ । ସେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଇଛନ୍ତି, ଯିଏ ଦୀର୍ଘ ଧରି ସାମରିକ ସେବା ପରେ ଏହି ପଦବୀରୁ ଅବସର ଗ୍ରହଣ କରିଛନ୍ତି।

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଜେନେରାଲ ଧୀରଜ ସେଠ୍ (PVSM, UYSM, AVSM) ଭାରତୀୟ ସେନାର ୩୧ ତମ ସେନାଧ୍ୟକ୍ଷ (COAS) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ସେନାରେ ଚାରି ଦଶନ୍ଧୀରୁ ଅଧିକ ସମୟ ଧରି ସେବା ପ୍ରଦାନ କରିବା ପରେ ଆଜି ମଙ୍ଗଳବାର ଅବସର ନେଇଥିବା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଇଛନ୍ତି ଜେନେରାଲ ଧୀରଜ ସେଠ୍ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜେନେରାଲ ଧୀରଜ ସେଠ୍ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA), ଖଡ଼କୱାସଲାର ପୂର୍ବତନ ଛାତ୍ର। ଡିସେମ୍ବର ୧୯୮୬ ରେ ସେନାର ‘ଆର୍ମର୍ଡ କୋର୍’ ରେ ଯୋଗ ଦେଇଥିଲେ। ପ୍ରାୟ ୪୦ ବର୍ଷର ଏହି ଗୌରବମୟ ସାମରିକ କ୍ୟାରିୟର ମଧ୍ୟରେ ସେ କାର୍ଯ୍ୟକ୍ଷମ, ରଣନୀତିକ ଏବଂ ସେନାର ସାମର୍ଥ୍ୟ ବିକାଶ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି । ଜେନେରାଲ ସେଠ୍ ବିଭିନ୍ନ ସ୍ତରରେ ସେନାକୁ ନେତୃତ୍ୱ ଦେଇଛନ୍ତି। ତାଙ୍କର ପ୍ରମୁଖ କମାଣ୍ଡ ଦାୟିତ୍ୱଗୁଡ଼ିକ ମଧ୍ୟରେ ଅଛି ମରୁଭୂମି ଅଞ୍ଚଳରେ ଏକ ଆର୍ମର୍ଡ ରେଜିମେଣ୍ଟ, ପଶ୍ଚିମ ସୀମାନ୍ତରେ ଏକ ଆର୍ମର୍ଡ ବ୍ରିଗେଡ୍, ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ନିରୋଧୀ ବାହିନୀ । ଲେଫ୍ଟନାଣ୍ଟ ଜେନେରାଲ ଭାବରେ ସେ ଭାରତୀୟ ସେନାର ଅନ୍ୟତମ ପ୍ରମୁଖ ଷ୍ଟ୍ରାଇକ ଫର୍ମେସନ ‘ସୁଦର୍ଶନ ଚକ୍ର କୋର୍’ର କମାଣ୍ଡର ଥିଲେ । ଏହାପରେ ସେ ଦିଲ୍ଲୀ ଏରିଆର ଜେନେରାଲ ଅଫିସର କମାଣ୍ଡିଂ ଭାବେ କାର୍ଯ୍ୟ କରି ପ୍ରମୁଖ ଜାତୀୟ ଏବଂ ଆନ୍ତର୍ଜାତୀୟ ସାମରିକ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ଦାୟିତ୍ୱ ତୁଲାଇଥିଲେ। ଆର୍ମି କମାଣ୍ଡର ପଦବୀକୁ ଉନ୍ନୀତ ହେବା ପରେ, ସେ ଦକ୍ଷିଣ-ପଶ୍ଚିମ କମାଣ୍ଡ (ଜୟପୁର) ଏବଂ ଦକ୍ଷିଣ କମାଣ୍ଡ (ପୁଣେ) ର ନେତୃତ୍ୱ ନେଇଥିଲେ। ଦୁଇଟି ପୃଥକ ଅପରେସନାଲ କମାଣ୍ଡର ନେତୃତ୍ୱ ନେବାର ଏହି ବିରଳ ଗୌରବ ସେ ହାସଲ କରିଛନ୍ତି। ଯେଉଁଠାରେ ସେ ପ୍ରାୟ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ରଣନୀତିକ ନଜର ରଖିଥିଲେ। ୧୯୯୭ ରେ ଜେନେରାଲ ଶଙ୍କର ରାୟ ଚୌଧୁରୀଙ୍କ ଅବସର ପରେ ସେ ପ୍ରଥମ ଆର୍ମର୍ଡ କୋର୍ ଅଫିସର ଭାବେ ସେନା ମୁଖ୍ୟ ଦାୟିତ୍ୱ ପାଇଛନ୍ତି। ଆଜି ନୂଆଦିଲ୍ଲୀର ସାଉଥ ବ୍ଲକ୍ ଲନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟୀ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପାରମ୍ପରିକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନୂଆ ସେନାଧ୍ୟକ୍ଷଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଜେନେରାଲ ଦ୍ୱିବେଦୀ କହିଛନ୍ତି, "ସେ ଜଣେ ଅଭିଜ୍ଞ ସୈନିକ ଏବଂ ସକ୍ଷମ ଅଫିସର । ମୋର ଦୃଢ଼ ବିଶ୍ୱାସ ଯେ ତାଙ୍କ ନେତୃତ୍ୱରେ ଭାରତୀୟ ସେନା ନିଜର ଗୌରବମୟ ପରମ୍ପରା ଓ ବୃତ୍ତିଗତ ଦକ୍ଷତାକୁ ବଜାୟ ରଖି ଆହୁରି ଅଧିକ ଉଚ୍ଚତାକୁ ଛୁଇଁବ।" ଜେନେରାଲ ଦ୍ୱିବେଦୀ ନିଜର ବିଦାୟୀ ଭାଷଣରେ ଆହୁରି କହିଛନ୍ତି ଯେ, ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ଥିଲା। ସେ ସମସ୍ତ ସୈନିକ, ଶହୀଦ, ସେମାନଙ୍କ ପରିବାର ଏବଂ ଦେଶବାସୀଙ୍କୁ ସେମାନଙ୍କର ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ ଜାତୀୟ ଯୁଦ୍ଧ ସ୍ମାରକୀ (National War Memorial) ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
