LPG Price Hike:ଅକ୍ଟୋବର ପହିଲାରୁ ବଢିଲା ଦରଦାମ୍, କମର୍ସିଆଲ ଗ୍ୟାସ୍ ମହଙ୍ଗା
ନୂଆ ମାସର ପ୍ରଥମ ଦିନରୁ ଦେଶରେ ଦରବୃଦ୍ଧି | ଯାହାର ସିଧା ପ୍ରଭାବ ପଡିଛି ଆମ ପକେଟ୍ ଏବଂ ଦୈନନ୍ଦିନ ଜୀବନ ଉପରେ | ବାଣିଜ୍ୟିକ ଏଲ୍ପିଜି ଦର ବୃଦ୍ଧି ପାଇବା ସହ ଗ୍ୟାସ୍ ସବସିଡି ଓ ବ୍ୟାଙ୍କିଂ କାର୍ଯ୍ୟକଳାପରେ ଲାଗୁ ହୋଇଛି ଜରୁରୀ ନିୟମ |
ଅକ୍ଟୋବର ପହିଲାରୁ ଦେଶର ବଜାର ଏବଂ ଆର୍ଥିକ ନିୟମାବଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି | ଚାପ ପଡିଛି ଖାଉଟି ମାନଙ୍କ ପକେଟ୍ ଉପରେ | ତେବେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଯେ, ଘରୋଇ ରୋଷେଇ ଗ୍ୟାସ୍ (୧୪.୨ କେଜି) ସିଲିଣ୍ଡର ଦରରେ କୌଣସି ପରିବର୍ତନ ହୋଇନାହିଁ | କିନ୍ତୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ ୬୨ ଟଙ୍କା ୫୦ ପଇସା ବଢ଼ିଛି | କମର୍ସିଆଲ ଗ୍ୟାସ୍ ମହଙ୍ଗା ହେବା ଯୋଗୁଁ ହୋଟେଲ, ରେସ୍ତୋରାଁ ଓ ଢାବାବାଲାଙ୍କ ଖର୍ଚ୍ଚ ବଢ଼ିବ ଏବଂ ଆଗକୁ ବାହାର ଖାଦ୍ୟ ମେନୁ ଟିକେ ମହଙ୍ଗା ହେବାର ଅନୁମାନ କରାଯାଉଛି |
ସେହିପରି ଗ୍ୟାସ୍ ସବସିଡି ପାଉଥିବା ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ଯାଞ୍ଚ (BAA) କୁ ବାଧ୍ୟତାମୂଳକ କରାଯାଇଛି | ଯେଉଁମାନେ ଏପର୍ଯ୍ୟନ୍ତ BAA କରିନାହାନ୍ତି, ସେମାନଙ୍କୁ ସବସିଡି ମୂଲ୍ୟରେ ଗ୍ୟାସ୍ ପାଇବା ପାଇଁ ନିଜ ଗ୍ୟାସ୍ ଏଜେନ୍ସିକୁ ଯାଇ ବାୟୋମେଟ୍ରିକ ଯାଞ୍ଚ ଶେଷ କରିବାକୁ ହେବ| ସରକାରୀ ରିପୋର୍ଟ ଅନୁସାରେ, ଦେଶର ପ୍ରାୟ ୯୦ ପ୍ରତିଶତ ଗ୍ରାହକ ପୂର୍ବରୁ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି, ତେଣୁ ବାକି ଥିବା ଲୋକଙ୍କୁ ବାଟଦେଖାଇବା ନିୟମର ମୁଖ୍ୟ ଲକ୍ଷ୍ୟ | ଅନ୍ୟପଟେ, ବ୍ୟାଙ୍କିଂ ନିୟମରେ ମଧ୍ୟ କିଛି ସଂସ୍କାର ଅଣାଯାଇଛି | ଆରବିଆଇ (RBI) ର ନୂଆ ନିର୍ଦ୍ଦେଶ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ଏଣିକି ପ୍ରତ୍ୟେକ କାର୍ଯ୍ୟଦିବସ ସକାଳ ୧୦ଟା ୧୦ ମିନିଟ୍ ମଧ୍ୟରେ ସେମାନଙ୍କ ୱେବସାଇଟ୍ରେ ବଲ୍କ ଡିପୋଜିଟ୍ର ସୁଧହାର ଅପଡେଟ୍ କରିବାକୁ ପଡ଼ିବ, ଯାହା ଦ୍ୱାରା ଗ୍ରାହକଙ୍କୁ ତୁରନ୍ତ ସଠିକ୍ ସୂଚନା ମିଳିପାରିବ | ଏହା ସହ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟ ନିଜର ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଏଟିଏମ୍ ବ୍ୟବହାର ନିୟମରେ କିଛି ଛୋଟ ପରିବର୍ତ୍ତନ କରିଛି | ଏହି ସମସ୍ତ ନୂଆ ନିୟମଗୁଡ଼ିକ ବଜାର କାରବାର ପାରଦର୍ଶିତା ଆଣିବାସହ ଗ୍ରାହକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ |
