ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା:୫ ଦିନ ବର୍ଷା, କନ୍ଧମାଳରେ ସ୍କୁଲ୍ ଛୁଟି
ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର (Low Pressure) ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର (Low Pressure) ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ । ଏନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗତକାଲି ରାତିରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଗରମ ଓ ଗୁଳୁଗୁଳିରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଅନ୍ୟପଟେ, ଲଗାଣ ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ କହିଛି, ପାଗର ସ୍ଥିତି ସୁଧାରିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଯିବା ପାଇଁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ବର୍ଷା ତଥ୍ୟ ଅନୁଯାୟୀ, ୩ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୫ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସବୁଠାରୁ ଅଧିକ ୧୮୦ ମିଲିମିଟର ବର୍ଷା ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ରେକର୍ଡ ହୋଇଛି। ସମ୍ବଲପୁରର ଯୁଯୁମୁରାରେ ୧୩୦.୮ ମିମି ଏବଂ ବରଗଡ଼ର ଅତାବିରାରେ ୧୨୦ ମିମି ବର୍ଷା ହୋଇଛି। ବରଗଡ଼ର ଭଟଲିରେ ୧୧୦.୮ ମିମି, ସୋନପୁରର ବୀରମହାରାଜପୁରରେ ୧୦୭ ମିମି, ବୌଦ୍ଧର ଖଇରମାଲରେ ୯୯.୪ ମିମି, ସୋନପୁରର ଉଲୁଣ୍ଡାରେ ୯୪ ମିମି, କନ୍ଧମାଳର ବାଲିଗୁଡ଼ାରେ ୯୦ ମିମି, ସମ୍ବଲପୁରର ବୁର୍ଲାରେ ୮୮.୪ ମିମି ଏବଂ ହୀରାକୁଦରେ ୮୪.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରର ଖପରାଖୋଲରେ ୮୪ ମିମି, ମାଲକାନଗିରିରେ ୭୯.୨ ମିମି, କନ୍ଧମାଳର ଖଜୁରୀପଡ଼ାରେ ୭୫.୨ ମିମି, କେନ୍ଦୁଝରର ଯୋଡ଼ାରେ ୭୩.୨ ମିମି, ଝାରସୁଗୁଡ଼ାରେ ୭୩.୨ ମିମି, କନ୍ଧମାଳର ଫିରିଙ୍ଗିଆରେ ୭୨.୬ ମିମି, କଟକରେ ୬୭.୪ ମିମି ଏବଂ ସୋନପୁରରେ ୬୫.୮ ମିମି ବର୍ଷା ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ପ୍ରଭାବରେ ଆଗାମୀ କିଛି ଦିନ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
