ଜୁଲାଇ ୩ରେ ବଙ୍ଗୋପସାଗରରେ ଲଘୁଚାପ, ୬ ଯାଏ ଭିଜିବ ଓଡ଼ିଶା
ଜୁଲାଇ ୩ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହା ଲଘୁଚାପରେ ପରିଣତ ହୋଇପାରେ।

ଭୁବନେଶ୍ୱର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । ସୃଷ୍ଟି ହେବାକୁ ଯାଉଛି ମୌସୁମୀ ଋତୁର ପ୍ରଥମ ଲଘୁଚାପ । ଆସନ୍ତା ୩ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।। ବର୍ତ୍ତମାନ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସମୁଦ୍ର ପତ୍ତନରୁ ପ୍ରାୟ ୧.୫ ରୁ ୫.୮ କି.ମି. ଉଚ୍ଚତା ମଧ୍ୟରେ ରହିଛି। ଯାହାର ପ୍ରଭାବରେ ଜୁଲାଇ ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୨୩ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। OSDMA ଏବଂ ଜିଲ୍ଲା ପ୍ରଶାସନ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ମୌସୁମୀ ଋତୁରେ ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ୨୦୯ ମିଲିମିଟର ରେକର୍ଡ ହେବା କଥା କିନ୍ତୁ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ୪୬ ପ୍ରତିଶତ ନିଅଣ୍ଟିଆ ରହିଛି।

