ଲଟେରି ଚକ୍କରରେ ହରାଇଲେ ୨ କୋଟି!
୧୯୬୭ରେ ସେ ନିଜର ପ୍ରଥମ ଟିକଟ କିଣିଥିଲେ। ଯାହା ଭୁଟାନ ଲଟେରି ଟିକଟ ଥିଲା। ଏହାର କିଛି ଦିନ ପରେ ସେ ଟଙ୍କାଟିଏ ଦେଇ କେରଳର ପ୍ରଥମ ଲଟେରି କ୍ରେତା ସାଜିଥିଲେ। ହେଲେ ଭାଗ୍ୟ ପରୀକ୍ଷା ପ୍ରୟାସ ତାଙ୍କ ଜୀବନର ସବୁଠୁ ବଡ଼ ଆଦତ ସାଜିଗଲା। କେବେ ନା କେବେ ତାଙ୍କ ଭାଗ୍ୟରେ ଲଟେରି ଫୁଟିବ। ଆଉ ଭାଗ୍ୟଦେବତାଙ୍କ ଆଶୀର୍ବାଦ ପଡ଼ିବ। ହେଲେ ଆଜିଯାଏ ଏ ଆଶା ପୂରଣ ହୋଇପାରିଲାନି।

ଲଟେରୀ। ଏହା ଅନେକଙ୍କ ଭାଗ୍ୟକୁ ଖୋଲିଦିଏ ତ ଆଉ କାହାର ରାହା ଜୀବନ ତମାମ ସରେନା। ଆଶା ଓ ଭାଗ୍ୟର ଏହା ଯୁଗଳବନ୍ଦୀ ବୋଲି ଅନେକ ଭାବନ୍ତି। ଲଟେରୀ ଏକ ଜୁଆ ଭଳି ଜୀବନକୁ ଆଛାଦିତ କରିଥାଏ। କାଳେ ଭାଗ୍ୟ ଫିଟିଯିବ। ଏ ଚିନ୍ତାରେ ଅନେକଙ୍କ ଲାଗି ଜୀବନରେ ଲଟେରୀ କିଣିବା ଓ ଭାଗ୍ୟ ପରୀକ୍ଷା କରିବା ଏକ ଜୁଆ ସଦୃଶ ପାଲଟିଗଲାଣି। ହେଲେ ଏ ସ୍ୱପ୍ନ ନା ସରୁଛି ନା ଆଶା ଭାଙ୍ଗୁଛି। ଆଶା ଅସୁମାରୀ ଆଳରେ ଅନେକ ଲଟେରି ଉଠିବ ବୋଲି ଭାବି ଚାତକ ଭଳି ଚାହିଁ ବସିଥାଆନ୍ତି। ଏମିତି ଜଣେ ହେଲେ ପିପି ରାଘବନ। କେରଳର ରାଘବନ ଗଲା ୬୦ ବର୍ଷରୁ ଅଧିକ ସମୟ ହେଲା ଲଟେରି ଖେଳି ଆସୁଛନ୍ତି। ଆଉ ଲଟେରିରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଆଜି ଯାଏ ଜ୍ୟାକପଟ ଖୋଲିପାରିନି। ଜ୍ୟାକପଟ୍ ଖୋଲିବା ଆଶାରେ ସେ ନିଜ ପତ୍ନୀଙ୍କ ଗହଣା ବି ବିକିସାରିଛନ୍ତି। କରିଓ୍ୱେଲୁରର ପଲକୁକ୍କୁନର ଘରେ ରଖାଯାଇଥିବା ୫ ବସ୍ତା ଲଟେରିରେ ହିଁ ସେ ଜୀବନଯାକର ସ୍ୱପ୍ନକୁ ଏକାଠି କରିଛନ୍ତି। ଏଥିରେ ଲଟେରି ଜିତିବାର କୌଣସି ଟିକଟ ନାହିଁ। ବରଂ ୬ ଦଶନ୍ଧିର ଆଶା, ଅପେକ୍ଷା ଓ ଭାଗ୍ୟଫଳ। ଯାହା ନା କେବେ ପୂରଣ ହୋଇଛି ନା କେବେ ଖୋଲିଛି। ଜ୍ୟାକପଟ ଜିତିବା ପ୍ରୟାସରେ ସେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ନଭେମ୍ୱର ୧, ୧୯୬୭। ଆରମ୍ଭ ହୋଇଥିଲା କେରଳ ଲଟେରି। ଏହାର ଉଦ୍ଦେଶ୍ୟ ଥିଲା, ବେରୋଜଗାରିକୁ ଦୂର କରିବା। ଜନତାଙ୍କ ଉପରେ ବିନା ବୋଝ ଲଦି ରାଜସ୍ୱ ସଂଗ୍ରହ କରିବା। ପ୍ରଥମ ଟିକଟରେ ୫୦ହଜାର ଟଙ୍କାର ପୁରଷ୍କାର ଥିଲା। ଆଉ ପ୍ରଥମ ଡ୍ର ଜାନୁଆରୀ ୨୬, ୧୯୬୮ରେ ହୋଇଥିଲା। ରାଘବନଙ୍କ ଲଟେରି ସହ ମୋହ କେରଳରେ ଏହି ସ୍କିମ ଶୁଭାରମ୍ଭ ଆଗରୁ ଆରମ୍ଭ ହୋଇସାରିଥିଲା। ୧୯୬୭ରେ ସେ ନିଜର ପ୍ରଥମ ଟିକଟ କିଣିଥିଲେ। ଯାହା ଭୁଟାନ ଲଟେରି ଟିକଟ ଥିଲା। ଏହାର କିଛି ଦିନ ପରେ ସେ ଟଙ୍କାଟିଏ ଦେଇ କେରଳର ପ୍ରଥମ ଲଟେରି କ୍ରେତା ସାଜିଥିଲେ। ହେଲେ ଭାଗ୍ୟ ପରୀକ୍ଷା ପ୍ରୟାସ ତାଙ୍କ ଜୀବନର ସବୁଠୁ ବଡ଼ ଆଦତ ସାଜିଗଲା। କେବେ ନା କେବେ ତାଙ୍କ ଭାଗ୍ୟରେ ଲଟେରି ଫୁଟିବ। ଆଉ ଭାଗ୍ୟଦେବତାଙ୍କ ଆଶୀର୍ବାଦ ପଡ଼ିବ। ହେଲେ ଆଜିଯାଏ ଏ ଆଶା ପୂରଣ ହୋଇପାରିଲାନି। ଏବେ ନିକଟରେ ଜାରି ହୋଇଥିବା ବିଶୁ ବମ୍ପର ଲଟେରି ବି କିଣିଥିଲେ। ବିଶେଷ କରି ଲଟେରିର ସୌଖୀନ ରଖୁଥିବା ଲୋକେ ଡ୍ର ପରେ ଟିକଟ ଫିଙ୍ଗିଦିଅନ୍ତି। କିନ୍ତୁ ରାଘବନ ଆଜିଯାଏ କିଣିଥିବା ପ୍ରତି ଟିକଟକୁ ସାଇତି ରଖିଛନ୍ତି। ଦଶକ ଧରି କଲେକ୍ସନ ତାଙ୍କ ଭାଗ୍ୟ ସହ ତାଙ୍କ ଜୀବନଯାତ୍ରାର ଏକ ବ୍ୟକ୍ତିଗତ ଆକାଉଣ୍ଟ ସାଜିଛି। ରାଘବନ ଅନେକ ଥର ଛୋଟମୋଟ ପୁରଷ୍କାର ଜିତିଛନ୍ତି। ହେଲେ ଜୀବନ ବଦଳାଇଦେବା ଭଳି ଜ୍ୟାକପଟ ତାଙ୍କଠୁ ସବୁବେଳେ ଦୂରେଇ ରହିଆସିଛି। ଅଢ଼େଇ ଏକର ଜମିରେ ଚାଷରୁ ଆୟ ହେଉଥିବା ଏକ ଭାଗକୁ ସେ ଟିକଟ କିଣିବାରେ ଖର୍ଚ୍ଚ କରନ୍ତି। ଆଜି ରାଘବନ ଓ ତାଙ୍କ ପତ୍ନୀ ଶାନ୍ତା ୨୫ସେଣ୍ଟର ଏଖ ଛୋଟ ଘରେ ରହୁଛନ୍ତି। ବୟସ ବଢ଼ିବାରୁ କୁଆଡେ ଯିବା ଆସିବା ପୂର୍ବଭଳି ଆଉ ଏତେଟା ହୋଇପାରୁନି। ହେଲେ ଲଟେରି ଆଦତ ଛାଡ଼ିନାହାନ୍ତି। ଏବେ କେବଳ ବମ୍ପର ଟିକଟ କିଣୁଛନ୍ତି ରାଘବ। ଆଉ ରାଘବ ଏବେ କହୁଛନ୍ତି, ବୋଧହୁଏ ଭାଗ୍ୟଦେବୀ ତାଙ୍କ ଉପରେ ଆଉ ପ୍ରସନ୍ନ ହେବେନି। ଯିଏ କୋଟି କୋଟି ପାଇବେ ବୋଲି ଆଶାରେ ୬୦ ବର୍ଷ ହେଲା ଲଟେରି କିଣିଆସୁଛନ୍ତି। ସେ ନିଜେ ଲଟେରି ଚକ୍କରରେ କୋଟିଏ ଟଙ୍କା ହରାଇସାରିଲେଣି।
