ଓଠ ପାଇଁ କ୍ଷତିକାରକ ହୋଇପାରେ ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍
ମହିଳାଙ୍କ ଦୈନନ୍ଦିନ ସଜସଜ୍ଜାରେ ଲିପଷ୍ଟିକ୍ ଏକ ଅବିଭାଜ୍ୟ ଅଂଶ। ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍ ର ନିୟମିତ ବ୍ୟବହାର ଓଠ ପାଇଁ ହୋଇପାରେ କ୍ଷତିକାରକ, ଲିପଷ୍ଟିକ୍ କିଣିବା ବେଳେ ଏହି ସବୁ ଦିଗ ପ୍ରତି ଦେବେ ଧ୍ୟାନ ।
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କ ଦୈନନ୍ଦିନ ସଜସଜ୍ଜାରେ ଲିପଷ୍ଟିକ୍ ଏକ ଅବିଭାଜ୍ୟ ଅଂଶ। ବଜାରରେ ମଧ୍ୟ ଅନେକ ପ୍ରକାରର ଲିପଷ୍ଟିକ୍ ଉପଲବ୍ଧ ରହିଛି। ସେଥିମଧ୍ୟରୁ ଲଙ୍ଗ-ଲାଷ୍ଟିଙ୍ଗ୍ (Long-lasting) ଲିପଷ୍ଟିକ୍ ଏବେ ବହୁତ ଲୋକପ୍ରିୟ। ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଓଠରେ ରହିଥାଏ, ସହଜରେ ଲିଭେ ନାହିଁ । କିନ୍ତୁ ଏହାର ନିୟମିତ ବ୍ୟବହାର ଓଠର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ଚର୍ମରୋଗ ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଚର୍ମରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓଠର ଚର୍ମ ମୁହଁର ଅନ୍ୟ ଅଂଶ ତୁଳନାରେ ବହୁତ ପତଳା ହୋଇଥାଏ ଏବଂ ସେଠାରେ ତେଲ ଗ୍ରନ୍ଥି (Oil Glands) ନଥାଏ। ତେଣୁ ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍ର ଅତ୍ୟଧିକ ବ୍ୟବହାର ଓଠକୁ ଶୁଷ୍କ କରିବା ସହ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ।
ବିଶେଷଜ୍ଞଙ୍କ ଅନୁସାରେ ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍ର ନିୟମିତ ବ୍ୟବହାରରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ— ଓଠ ଅତ୍ୟଧିକ ଶୁଷ୍କ ହୋଇଯିବା। ପ୍ରାକୃତିକ ତୈଳ ସ୍ତର ନଷ୍ଟ ହୋଇ ଓଠର ଆର୍ଦ୍ରତା କମିଯିବା। ଚର୍ମର ସୁରକ୍ଷା କବଚ ଦୁର୍ବଳ ହୋଇ ଜ୍ୱଳନ ଓ କ୍ଷତିର ଆଶଙ୍କା ବଢ଼ିବା। ଲିପଷ୍ଟିକ୍ ହଟାଇବା ବେଳେ ବେଶି ଘଷିବାରୁ ଓଠରେ ସୂକ୍ଷ୍ମ କ୍ଷତ ସୃଷ୍ଟି ହେବା। ସମୟ ସହିତ ଓଠ କଳା ପଡ଼ିବା ଏବଂ ଫାଟିଯିବା କିମ୍ବା ଦୀର୍ଘସ୍ଥାୟୀ ଶୁଷ୍କତା ଦେଖାଦେଇଥାଏ ।

ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ତେବେ ଲିପଷ୍ଟିକ୍ କିଣିବା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବେ- ଲିପଷ୍ଟିକ୍ କିଣିବା ବେଳେ ସେଥିରେ ଶିଆ ବଟର୍, କୋକୋ ବଟର୍, ଜୋଜୋବା ତେଲ, ଭିଟାମିନ୍–ଇ ଏବଂ ସେରାମାଇଡ୍ ଥିବା ହାଇଡ୍ରେଟିଂ କିମ୍ବା ସେମି-ମ୍ୟାଟ୍ ଲିପଷ୍ଟିକ୍ ବାଛନ୍ତୁ। ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ଲିପ୍ ବାମ୍ କିମ୍ବା ଲିପ୍ ପ୍ରାଇମର୍ ବ୍ୟବହାର କରନ୍ତୁ। ସେହିପରି ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍କୁ ସବୁବେଳେ ବ୍ୟବହାର ନକରି କେବଳ କିଛି ବିଶେଷ ଅବସରରେ ବ୍ୟବହାର କରନ୍ତୁ। ନିୟମିତ ଭାବେ ଓଠକୁ ଏକ୍ସଫୋଲିଏଟ୍ ଓ ମଏସ୍ଚରାଇଜ୍ କରନ୍ତୁ।
ଲଙ୍ଗ-ଲାଷ୍ଟିଙ୍ଗ୍ ଲିପଷ୍ଟିକ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁନ୍ଦର ଲୁକ୍ ଦେଇଥାଏ, କିନ୍ତୁ ଏହାର ନିୟମିତ ଓ ଅତ୍ୟଧିକ ବ୍ୟବହାର ଓଠର ଶୁଷ୍କତା, ଜ୍ୱଳନ, ଫାଟିବା ଓ କଳା ପଡ଼ିବା ପରି ସମସ୍ୟା ସୃଷ୍ଟି କରିପାରେ। ତେଣୁ ଠିକ୍ ଉତ୍ପାଦ ବାଛିବା ସହ ଦୈନିକ ଓଠର ଯତ୍ନ ନେବା ଅତ୍ୟନ୍ତ ଜରୁରୀ।
