ବାପାଙ୍କ ଶେଷକୃତ୍ୟ- ଆସିଲେନି ୩ ଶିକ୍ଷୟତ୍ରୀ ଝିଅ- ଟଙ୍କା ପଠାଇ ମାଗିଲେ ଭିଡ଼ିଓ
୩ ଶିକ୍ଷୟତ୍ରୀ ଝିଅଙ୍କୁ ସୂଚନା ଦେବା ସତ୍ତ୍ୱେ ସେମାନେ କେହି ବି ଆସିବାକୁ ମନା କରିଦେଲେ। ମୁମ୍ୱାଇରେ ରହୁଥିବା ବଡ଼ ଝିଅ ଅନଲାଇନରେ ୫୧ଶହ ଟଙ୍କା ପଠାଇ ଅନ୍ତିମ ସଂସ୍କାର କରିବାକୁ କହିଲେ। ନେପାଳରେ ରହୁଥିବା ଝିଅ ଭିଡ଼ିଓ କଲ୍ ଜରିଆରେ ଅନ୍ତିମସଂସ୍କାର ଦେଖିଲେ। ଯେବେକି ଅନ୍ୟ ଦୁଇ ଝିଅ ଏହାକୁ ଏତେ ଜରୁରୀ ମନେ କଲେନି।

ଅନଲାଇନରେ ବାପାଙ୍କ ଅନ୍ତିମସଂସ୍କାର! ଶୁଣିବାକୁ ତାଜୁବ ଲାଗିପାରେ। ହେଲେ ଏହା ସତ। ପିତାଙ୍କ ଶେଷ ସମୟରେ ୩ ଝିଅ ନା ଛିଡ଼ା ହେଲେ ନା ଶେଷନିଃଶ୍ୱାସ ତ୍ୟାଗ ପରେ ବି ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେଲେ। କେବଳ ଅନ୍ତିମସତ୍କାର ଲାଗି ଅନଲାଇନରେ ବଡ଼ ଝିଅ ୫୧ଶହ ଟଙ୍କା ପଠାଇଦେଲେ କେୟାରଟେକର ପାଖକୁ। ଆଉ ଟଙ୍କା ଦେଇ ଶେଷକୃତ୍ୟର ଭିଡ଼ିଓ ମାଗିଲେ। ଶେଷନିଃଶ୍ୱାସ ଛାଡ଼ିବା ଆଗରୁ ୩ ଝିଅଙ୍କୁ ଦେଖିବାକୁ ନେହୁରା ହେଉଥିଲେ ବାପା। ସୋନିପତର କପଡ଼ା ବ୍ୟବସାୟୀ ଶିବଚରଣ ଗୁପ୍ତାଙ୍କ କ୍ଷେତ୍ରରେ ସନ୍ତାନସୁଖ, ସନ୍ତାନର ଦାୟିତ୍ୱ ଓ କର୍ତ୍ତବ୍ୟର ଓଲଟା ଚେହେରାର ଏକ ଜ୍ୱଳନ୍ତ ନଜିର ଦେଖିବାକୁ ମିଳିଛି। ମଙ୍ଗଳବାର ବୃଦ୍ଧାଶ୍ରମରେ ଶିବଚରଣଙ୍କ ଅକାଳ ବିୟୋଗ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ୩ ଶିକ୍ଷୟତ୍ରୀ ଝିଅଙ୍କ ସମ୍ୱେଦନହୀନତା ପୁରା ସମାଜକୁ ଲଜ୍ଜିତ କରିଛି। ଆନନ୍ଦାଶ୍ରମର ସଞ୍ଚାଳକ ନେପାଳ, ମୁମ୍ୱାଇ ଓ ୟୁପିର ଆଜମଗଡ଼ରେ ରହୁଥିବା ୩ ଶିକ୍ଷୟତ୍ରୀ ଝିଅଙ୍କୁ ସୂଚନା ଦେବା ସତ୍ତ୍ୱେ ସେମାନେ କେହି ବି ଆସିବାକୁ ମନା କରିଦେଲେ। ମୁମ୍ୱାଇରେ ରହୁଥିବା ବଡ଼ ଝିଅ ଅନଲାଇନରେ ୫୧ଶହ ଟଙ୍କା ପଠାଇ ଅନ୍ତିମ ସଂସ୍କାର କରିବାକୁ କହିଲେ। ନେପାଳରେ ରହୁଥିବା ଝିଅ ଭିଡ଼ିଓ କଲ୍ ଜରିଆରେ ଅନ୍ତିମସଂସ୍କାର ଦେଖିଲେ। ଯେବେକି ଅନ୍ୟ ଦୁଇ ଝିଅ ଏହାକୁ ଏତେ ଜରୁରୀ ମନେ କଲେନି। କିଛି ସମାଜସେବୀ ଶିବଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ। ସେକ୍ଟର-୧୫ ସ୍ଥିତ ଶିବମୁକ୍ତି ଧାମରେ ଶିବଚରଣଙ୍କ ଅନ୍ତିମସଂସ୍କାର ହୋଇଛି। ଗୁପ୍ତା ନିଜ ୩ ଝିଅଙ୍କୁ ଉଚ୍ଚଶିକ୍ଷିତ କରିଥିଲେ। ମୁମ୍ୱାଇରେ ଦିନେ ବଡ଼ କପଡ଼ା ବ୍ୟବସାୟୀ ଭାବେ ନାଁ କରିଥିଲେ ଶିବଚରଣ। ହେଲେ ବେପାରରେ କ୍ଷତି ହେବାରୁ ସେ ଅନେକ ବର୍ଷ ତଳେ ବ୍ୟବସାୟ ବନ୍ଦ କରିଦେଲେ। ହେଲେ ୩ ଝିଅ ଚାକିରୀ କରିଥିବା ସତ୍ତ୍ୱେ କେହି ସହଯୋଗ କରିବାକୁ ଆଗେଇ ଆସିଲେନି। ବଡ଼ ଝିଅ ଘରେ କିଛି ଦିନ ରହିଥିଲେ ଶିବଚରଣ। କିନ୍ତୁ ୩ ବର୍ଷ ପୂର୍ବରୁ ପତ୍ନୀଙ୍କ ସହ ସୋନିପତର ବୃଦ୍ଧାଶ୍ରମକୁ ପଳେଇଥିଲେ। ଦେଢ଼ ବର୍ଷ ପୂର୍ବରୁ ପତ୍ନୀଙ୍କ ପରଲୋକ ପରେ ସେବେଠୁ ୩ ଝିଅରୁ କେହି ବି ତାଙ୍କ ପାଖକୁ ଆସୁନଥିଲେ। ଆଉ ଏବେ ପରଲୋକ ପରେ ବି ୩ ଝିଅ ପରଠୁ ବଳିକି ଅଧିକ ଆଚରଣ ନେଇ ସୋସିଆଲ ମିଡିଆରେ ସନ୍ତାନର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
