ସ୍କ୍ରାପ୍ କଲେକ୍ଟରରୁ ଡାକ୍ତର- ସୁନୀଲ ଲୋହାର
ହାତରେ କବାଡ଼ି ସାମଗ୍ରୀର ବସ୍ତା ଥିଲା ସତ। କିନ୍ତୁ ଆଖିରେ ଡାକ୍ତର ହେବାର ନିଶା ଓ ସ୍ୱପ୍ନ। ହେଲେ ଡାକ୍ତର ହେବା ଏତେ ସହଜ କଥା ନୁହେଁ। ୨୦୨୦ରେ ଦ୍ୱାଦଶ ପାସ୍ ପରେ ପରିବାରର ଆର୍ଥିକ ଦୁଃସ୍ଥିତି ଲାଗି ତାଙ୍କ ପାଠପଢ଼ାରେ ଡୋରି ଲଗାଇବାକୁ ପଡ଼ିଥିଲା। ଆଉ କବାଡ଼ି ବେପାରରେ ଲଗାଇଦେଇଥିଲେ ତାଙ୍କ ବାପା।

ସ୍କ୍ରାପ୍ ବିକୁଥିଲେ। ଘର ଘର ବୁଲି କବାଡ଼ିଆ କାମ କରୁଥିଲେ। ହେଲେ ଏବେ ହେବେ ଡାକ୍ତର। ସିକର ଜିଲ୍ଲାର ସୁନୀଲ ଲୋହାରଙ୍କ କାହାଣୀ କୌଣସି ଫିଲ୍ମରୁ କମ୍ ନୁହେଁ। ନିଟ୍ ପରୀକ୍ଷା ପାସ୍ କରି ସମସ୍ତଙ୍କ ଲାଗି କେବଳ ପ୍ରେରଣାର ଉତ୍ସ ସାଜିନାହାନ୍ତି। ବରଂ ଏଭଳି ଏକ ନଜିର ଛାଡ଼ିଲେ। ଯାହା ଆର୍ଥିକ ଦୁଃସ୍ଥିତି ଓ ଜୀବନରେ ଅନେକ ଚ୍ୟାଲେଞ୍ଜ ଥିବା ସତ୍ତ୍ୱେ କେମିତି ଆଶାକୁ ପୂରଣ କରିବାର ଦୃଢ଼ ମାନସିକତା ଓ ମନୋବଳକୁ ସାକାର କରାଯାଏ। ତାହା ସୁନୀଲଙ୍କଠୁ କିଏ ବା ଅଧିକ ଜାଣେ। ପେଟ ପାଳିବାକୁ ପ୍ରତି ସକାଳେ କବାଡ଼ିଆ ସାମଗ୍ରୀ ଏକାଠି କରୁଥିଲେ। ୬ ମାସର ପୁଅକୁ ହରାଇବାର ଅସହନୀୟ ଦୁଃଖକୁ ଛାତିରେ ଧରି ଆଗକୁ ବଢ଼ିଥିଲେ। ସ୍ୱପ୍ନକୁ ସାକାର କରିବାକୁ କୌଣସି ବଡ଼ ଯୁଦ୍ଧ ବା ଲଢ଼େଇରୁ କମ୍ ନଥିଲା ନିଟ୍ ପରୀକ୍ଷା। ଦୃଢ଼ ସଂକଳ୍ପ, ଅତୁଟ ବିଶ୍ୱାସ ଓ ତପସ୍ୟାର ମିସାଲ ସାଜିଗଲେ ସୁନୀଲ। ରାଜସ୍ଥାନ ସୀକର ଜିଲ୍ଲାର ଗରିବ ପରିବାରର ସୁନୀଲ। ହାତରେ ବହି ଧରିବା ବୟସରେ ସେ ଜୀବନର ସଂଘର୍ଷକୁ ଅନୁଭବ କରିପାରିଥିଲେ। ଛୋଟ ବୟସରୁ ଘରର ବୋଝ ଓ ଦାୟିତ୍ୱକୁ ବୁଝିଥିଲେ। ସୁନୀଲଙ୍କ ଜନ୍ମ ଯେଉଁ ଗଡ଼ିଆ ସମାଜରେ ହୋଇଥିଲା, ସେମାନଙ୍କ କୁଳବେଉସା ହେଉଛି କବାଡ଼ି ସାମଗ୍ରୀ ଏକାଠି କରି ବିକିବା। ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ସୁନୀଲ ବି ଘରକୁ ଘର ବୁଲି କବାଡ଼ି ସାମଗ୍ରୀ ଏକାଠି କରୁଥିଲେ। ହାତରେ କବାଡ଼ି ସାମଗ୍ରୀର ବସ୍ତା ଥିଲା ସତ। କିନ୍ତୁ ଆଖିରେ ଡାକ୍ତର ହେବାର ନିଶା ଓ ସ୍ୱପ୍ନ। ହେଲେ ଡାକ୍ତର ହେବା ଏତେ ସହଜ କଥା ନୁହେଁ। ୨୦୨୦ରେ ଦ୍ୱାଦଶ ପାସ୍ ପରେ ପରିବାରର ଆର୍ଥିକ ଦୁଃସ୍ଥିତି ଲାଗି ତାଙ୍କ ପାଠପଢ଼ାରେ ଡୋରି ଲଗାଇବାକୁ ପଡ଼ିଥିଲା। ଆଉ କବାଡ଼ି ବେପାରରେ ଲଗାଇଦେଇଥିଲେ ତାଙ୍କ ବାପା। ହେଲେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ସୁନୀଲ। ନିଟ ପରୀକ୍ଷା ପୂର୍ବରୁ ତାଙ୍କ ଉପରେ ଦୁଃଖର ପାହାଡ଼ ଛିଣ୍ଡିପଡ଼ିଥିଲା। ଗମ୍ଭୀର ବେମାରୀରେ ପୀଡ଼ିତ ୬ ମାସର ପୁଅକୁ ହରାଇଦେଇଥିଲେ। ଏ ଦୁଃଖର ପାହାଡ଼କୁ ପଛରେ ପକାଇ ଡାକ୍ତର ହେବାର ଜୋସ୍ ଓ କଠିନ ପରିସ୍ଥିତିକୁ ମୁକାବିଲା କରି ଆଗକୁ ବଢ଼ିଥିଲେ ସୁନୀଲ। ମୋବାଇଲ ଫୋନରୁ ଦୂରତା ରଖିଲେ ସୁନୀଲ। ଆଉ ନିଟ ପାଇବା ପରେ ବାପା ଭଗବାନ ସହାୟ ଲୋହାର କହିଛନ୍ତି, ତାଙ୍କ ସମାଜରେ ବହୁତ କମ୍ ବୟସରେ ତାଙ୍କ ପୁଅ କବାଡ଼ି ସାମଗ୍ରୀ ଏକାଠି କରି ବିକୁଥିଲା। ଆଉ ସୁନୀଲଙ୍କ ଏହି ସଫଳତା ପୁରା ସମାଜକୁ ଗର୍ବାନ୍ୱିତ କରିଛି। ସୁନୀଲ ଲୋହାର ନିଟ୍ ୟୁଜି ୨୦୨୬ ପରୀକ୍ଷାରେ ଓବିସି କ୍ୟାଟେଗୋରିରେ ଅଲଇଣ୍ଡିଆ ରାଙ୍କ୍ ୫,୬୮୦ ହାସଲ କରିଛନ୍ତି।
