Big Vigilance Crackdown : କେମିତି ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ
ରାତି ଅଧରେ ଭିଜିଲାନ୍ସର ଚଢ଼ାଉ, ଇଞ୍ଜିନିୟରଙ୍କ ଗାଡ଼ିରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା |

ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ବଡ଼ଧରଣର ଗିରଫ | ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କଠାରୁ ବିପୁଳ ପରିମାଣର ହିସାବ ବହିର୍ଭୂତ ସନ୍ଦେହଜନକ ନଗଦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ଏକ ବିଶ୍ୱସନୀୟ ସୂଚନା ମିଳିବା ପରେ ଗତ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ଏହି ଅପରେସନ୍ କଟକ ଓ ଭୁବନେଶ୍ୱରରେ ଚାଲିଥିଲା।
ସୂଚନା ଅନୁସାରେ, ଜଗତପୁରସ୍ଥିତ ଇରିଗେସନ୍ ଆଇବିରେ କିଛି ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଇଥିବା ଖବର ପାଇ ଭିଜିଲାନ୍ସ ଟିମ୍ କଟକ ଓ ଭୁବନେଶ୍ୱରରେ ନଜର ରଖିଥିଲା |
ଏହି ଅପରେସନ୍ ରାତି ସାରା ଚାଲିଥିଲା । ବାରମ୍ବାର ଗାଡ଼ି ଓ ସ୍ଥାନ ବଦଳାଇ ଭିଜିଲାନ୍ସକୁ ଚକମା ଦେବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ ଅଧୀକ୍ଷଣ ଇଞ୍ଜିନିୟର । ସୂଚନା ଅନୁସାରେ, ଜଗତପୁର ଇରିଗେସନ୍ ଆଇବିରେ କିଛି ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରିଥିବା ଖବର ପାଇ ଭିଜିଲାନ୍ସ ଟିମ୍ କଟକ ଓ ଭୁବନେଶ୍ୱରରେ ନଜର ରଖିଥିଲା। ମୋବାଇଲ୍ ଟ୍ରାକିଂ ଜରିଆରେ ଭୁବନେଶ୍ୱରର ଡେଲ୍ଟା ଛକ ନିକଟରେ ତାଙ୍କ ଅବସ୍ଥାନ ଠାବ ହୋଇଥିଲା। ଡେଲ୍ଟା ଇରିଗେସନ୍ ଆଇବିରେ ଏକ ଭୋଜିରେ ଯୋଗ ଦେଇଥିବା ବେଳେ ସାଧା ପୋଷାକରେ ଥିବା ଭିଜିଲାନ୍ସ ଅଧିକାରୀ ତାଙ୍କ ଉପରେ ନଜର ରଖିଥିଲେ।
ଭୋଜି ସରିବା ପରେ ସେ ସରକାରୀ ବୋଲେରୋରେ ବାହାରିଥିବା ବେଳେ ଏଜି ଛକ ନିକଟରେ ଗାଡ଼ି ଅଟକାଇ ତଲାସି କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ୭ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଥିଲା। ଅନ୍ୟପଟେ, ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଫ୍ଲାଟ୍ ନମ୍ବର D-401ରେ ଥିବା ତାଙ୍କ ଭଡ଼ା ଘରେ ଚଢ଼ାଉ କରି ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିଲା ଟିମ୍।
ଏହିପରି ମୋଟ୍ ୨୧ ଲକ୍ଷ ୯୮ ହଜାର ଟଙ୍କା ମିଳିଥିବା ବେଳେ ଏତେ ପରିମାଣର ନଗଦ ଟଙ୍କାର ସନ୍ତୋଷଜନକ ହିସାବ ଦେଇପାରି ନଥିବାରୁ ଭିଜିଲାନ୍ସ ଏହାକୁ ଜବତ କରିଛି | ଟଙ୍କାର ପ୍ରକୃତ ଉତ୍ସ ଏବଂ ଏହାର ଲାଞ୍ଚ ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି | ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୪, ତାରିଖ ୧୬.୧୦.୨୦୨୬ରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସଂଶୋଧିତ ଧାରା ୧୩(୨) ସହ ୧୩(୧)(b) ଅନୁଯାୟୀ ମାମଲା ରୁଜୁ ହୋଇଛି | ଘଟଣାର ଅଧିକ ତଦନ୍ତ ଜାରି ରହିଛି |
