Landfall At Gopalpur- ୭୨ହଜାର ଲୋକ ସ୍ଥାନାନ୍ତର- ଗୋପାଳପୁରରେ ଲ୍ୟାଣ୍ଡଫଲ୍!
ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ ହୋଇପାରେ ବୋଲି ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ ପରିବର୍ତ୍ତନଶୀଳ ଥିବାରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ପ୍ରଶାସନ। ଏପର୍ଯ୍ୟନ୍ତ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୭୨ ହଜାର ଲୋକ ସ୍ଥାନାନ୍ତର
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ ମୋଡ୍ରେ ରାଜ୍ୟ ସରକାର। ସଦ୍ୟତମ ପୂର୍ବାନୁମାନ ଅନୁସାରେ ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ ହୋଇପାରେ ବୋଲି ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ ପରିବର୍ତ୍ତନଶୀଳ ଥିବାରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ପ୍ରଶାସନ। ଏପର୍ଯ୍ୟନ୍ତ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ହୋଇଛି। ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅଧିକ ଗୁରୁତ୍ୱ। ଅତି ପ୍ରବଳ ବର୍ଷା ଆଶଙ୍କାରେ ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ସୂଚନା ଦିଆଯାଇଛି। ଅନ୍ୟ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ସମେତ ମୟୂରଭଞ୍ଜ ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି। ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ଗତକାଲି ରାତିରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଶ୍ରୟସ୍ଥଳଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସୁବିଧାର ବ୍ୟବସ୍ଥା କରାଯାଇଛି।ବିଶେଷକରି ଗର୍ଭବତୀ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୩୦ ସୁଦ୍ଧା ପ୍ରସବ ସମ୍ଭାବନା ଥିବା ପ୍ରାୟ ୯ ହଜାର ୧୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ଗଜପତି, କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ପାହାଡ଼ ପାଦଦେଶ ଓ ପାହାଡ଼ ଉପରେ ଥିବା ବିପଦପୂର୍ଣ୍ଣ ଜନବସତିକୁ ଚିହ୍ନଟ କରାଯାଇଛି। ସେଠାକାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ଯୋଗାଯୋଗ ବ୍ୟବସ୍ଥା ଅବ୍ୟାହତ ରଖିବାକୁ ୫୬ଟି ସେଲ୍ ଅନ୍ ହ୍ୱିଲ୍ସ, ୧୯୦ଟି ଡିଜି ସେଟ୍ ଏବଂ ୨୭ଟି ସହାୟକ ଟିମ୍କୁ ୧୩ଟି ଜିଲ୍ଲାରେ ମୁତୟନ କରାଯାଇଛି। ଦୁର୍ଗମ ଅଞ୍ଚଳ ପାଇଁ ଅତିରିକ୍ତ ସାଟେଲାଇଟ୍ ଫୋନ୍ର ବ୍ୟବସ୍ଥା ହେଉଛି। କୋଷ୍ଟଗାର୍ଡ ସହ ନିରନ୍ତର ଯୋଗାଯୋଗ ରଖାଯାଇଥିବା ବେଳେ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି। ପୁରୀ, ସାତପଡ଼ା ସମେତ ସମୁଦ୍ରକୂଳ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ନଯିବା ପାଇଁ ଅନୁରୋଧ କରାଯାଇଛି। ବିପଦପୂର୍ଣ୍ଣ କଳିଙ୍ଗା ଓ ଗଜଲବାଡ଼ି ଘାଟିରେ ବ୍ୟାରିକେଡ୍ ଲଗାଇ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।ଜଳସମ୍ପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନଜର ରଖାଯାଇଛି। ଆବଶ୍ୟକତା ଅନୁସାରେ ଜଳସ୍ତର ହ୍ରାସ କରାଯାଉଛି। ଦୁଇଟି ବୃହତ୍ ଡ୍ୟାମ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ୨୩ଟି ଗେଟ୍ ଖୋଲାଯାଇଥିବା ସୂଚନା ଦିଆଯାଇଛି। ସେହିପରି ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଖାଦ୍ୟସାମଗ୍ରୀ, ପାନୀୟ ଜଳ, ଔଷଧ ଓ ସାପ କାମୁଡ଼ା ପ୍ରତିଷେଧକ ମହଜୁଦ ରଖାଯାଇଛି। ପେଟ୍ରୋଲ ଓ ଡିଜେଲ୍ ଯୋଗାଣ ବାଧାପ୍ରାପ୍ତ ନହେବା ପାଇଁ ଆଇଓସିଏଲ୍, ବିପିସିଏଲ୍ ଓ ଏଚପିସିଏଲ୍ ସହ ସମନ୍ୱୟ ରଖାଯାଇଛି।
ରେଳ ଚଳାଚଳ ପାଇଁ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ଗଠନ ହୋଇଛି। କେତେକ ଟ୍ରେନ୍ର ସମୟ ପରିବର୍ତ୍ତନ ସହ କିଛି ଟ୍ରେନ୍ ବାତିଲ କରାଯାଇଛି। ଗୋପାଳପୁର ବନ୍ଦରରେ କ୍ରେନ୍ ଓ ଜାହାଜର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ପ୍ରତ୍ୟେକ ଜିଲ୍ଲାକୁ ଜରୁରୀକାଳୀନ ଖର୍ଚ୍ଚ ପାଇଁ ଏକ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଛି। ପୂର୍ବରୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ପାଇଁ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ପଠାଯାଉଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
