୨୧ ବର୍ଷ ତଳର ହତ୍ୟାକାଣ୍ଡ- ୪୧ ବର୍ଷର ହତ୍ୟାକାରୀ ଗିରଫ
ଦିଲ୍ଲୀପଙ୍କ ଜଣେ ପରିଚିତ ବ୍ୟକ୍ତି ତାଙ୍କ ପତ୍ନୀକୁ ଦୁଷ୍କର୍ମ କରିଥିଲା। ଆଉ ସନ୍ଦେହ ଥିଲା ଯେ, ଦୁଷ୍କର୍ମକାରୀକୁ ସହଯୋଗ କରିଥିଲା ଦିଲ୍ଲୀପ। ଏହି ପ୍ରତିଶୋଧ ନିଆଁରେ ଜଳି ଦିଲ୍ଲୀପକୁ ହତ୍ୟା କରିବାକୁ ଯୋଜନା କରିଥିଲା।

୨୧ ବର୍ଷ ପରେ ଗିରଫ ହେଲା ୪୧ ବର୍ଷର ହତ୍ୟାକାରୀ। ୟୁପିର ପ୍ରୟାଗରାଜରୁ ମୁମ୍ୱାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ନିଜ ସାଙ୍ଗକୁ ହତ୍ୟା କରି ୨୧ ବର୍ଷ ଧରି ଫେରାର ଥିଲା ଅଭିଯୁକ୍ତ। ୟୁପିରେ ବେଶ ବଦଳାଇ ରହୁଥିଲା। ଅଭିଯୁକ୍ତ ରାଜେଶ ସୁରେଶ ସୋନକରକୁ ମୀରା ଭାୟନ୍ଦର- ବସଇ ବିରାର କ୍ରାଇମବ୍ରାଞ୍ଚ ପୁଲିସ ପ୍ରୟାଗରାଜ ଜିଲ୍ଲାର ଏକ ଗାଁରୁ ଧରିଛି। ଡିସେମ୍ୱର ୨୭, ୨୦୦୫। ପାଲଘର ଭାଟିବନ୍ଦର ଗାଁରେ ଏକ ବୁଦା ମୂଳେ ୩୦ ବର୍ଷୀୟ ଦିଲ୍ଲୀପ ତୁକାରାମ ଚୌହ୍ୱାନଙ୍କ ଶବ ମିଳିଥିଲା। ମୁଣ୍ଡରେ ଗମ୍ଭୀର ଆଘାତରୁ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। ଧାରା ୩୦୨ରେ ମାମଲା ହୋଇଥିଲା। ହେଲେ ସେତେବେଳେ କୌଣସି ପ୍ରମାଣ ନ ମିଳିବାରୁ ତଦନ୍ତ ଆଗକୁ ବଢ଼ିପାରିନଥିଲା। ତେବେ ଏ ମର୍ଡର ମାମଲାର ଫାଇଲ ପୁଣି ଖୋଲିଥିଲା। କ୍ରାଇମବ୍ରାଞ୍ଚ ଏ ମାମଲାକୁ ଘାଣ୍ଟିଥିଲା। କ୍ରାଇମ ସିନରୁ ମିଳିଥିବା ସାମଗ୍ରୀକୁ ପୁଣି ଥରେ ଯାଞ୍ଚ କରାଯାଇଥିଲା। ୨୦୦୫ର ସାକ୍ଷୀଙ୍କୁ ପୁଣି ଥରେ ପଚରାଉଚୁରା କରାଯାଇଥିଲା। ତେବେ ମାମଲାରେ ପ୍ରମୁଖ ମୋଡ଼ ସେତେବେଳେ ଆସିଲା। ଯେତେବେଳେ ଜଣେ କହିଲେ, ମୁଖ୍ୟ ସନ୍ଦିଗ୍ଧ ୟୁପିରେ ନିଜ ପୈତୃକ ଘରେ ଲୁଚିଛି। ଜେରା ପରେ ରାଜେଶ କହିଥିଲା, ସେ ଓ ଦିଲ୍ଲୀପ ସାଙ୍ଗ ଥିଲେ। ଅର୍ନାଲାସ୍ଥିତ ହିନ୍ଦୁ ହୋଟେଲରେ ସଫେଇ କାମ କରୁଥିଲେ। ଦିଲ୍ଲୀପଙ୍କ ଜଣେ ପରିଚିତ ବ୍ୟକ୍ତି ତାଙ୍କ ପତ୍ନୀକୁ ଦୁଷ୍କର୍ମ କରିଥିଲା। ଆଉ ସନ୍ଦେହ ଥିଲା ଯେ, ଦୁଷ୍କର୍ମକାରୀକୁ ସହଯୋଗ କରିଥିଲା ଦିଲ୍ଲୀପ। ଏହି ପ୍ରତିଶୋଧ ନିଆଁରେ ଜଳି ଦିଲ୍ଲୀପକୁ ହତ୍ୟା କରିବାକୁ ଯୋଜନା କରିଥିଲା। ହତ୍ୟା ପରେ ଅଭିଯୁକ୍ତ ୫ରୁ୬ ବର୍ଷ ଲକ୍ଷ୍ନୌରେ ଥିଲା। ଆଉ ଗଲା ୧୫ ବର୍ଷ ହେଲା ନିଜ ପରିଚୟ ବଦଳାଇ ଇ-ରିକ୍ସା ଚଳାଇ ଜୀବନଯାପନ କରୁଥିଲେ।
