ଚଳନ୍ତା ଟ୍ରେନରେ ମର୍ଡର
ଭାରି ବର୍ଷା ହେଉଥିବା ବେଳେ ଟ୍ରେନ୍ର ଦ୍ୱାର ଖୋଲା ରଖିବା କି ବନ୍ଦ କରିବାକୁ ନେଇ ମୟଙ୍କ ଓ ଅନ୍ୟ ଜଣେ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ବର୍ଷା ପାଣି ବଗି ଭିତରକୁ ପଶୁଥିବାରୁ କିଛି ଯାତ୍ରୀ ଦ୍ୱାର ବନ୍ଦ କରିବାକୁ କହିଥିଲେ। ଏହି ସାଧାରଣ ବିବାଦ କ୍ରମେ ହିଂସାତ୍ମକ ରୂପ ନେଇଥିଲା।

ଚଳନ୍ତା ଟ୍ରେନରେ ମର୍ଡର। ମୁମ୍ୱାଇ ଲୋକାଲ୍ ଟ୍ରେନ୍ରେ ହତ୍ୟାକାଣ୍ଡ। ୨୨ ବର୍ଷୀୟ ମୟଙ୍କ ଲୋହାରଙ୍କୁ ଚଳନ୍ତା ଟ୍ରେନ୍ରେ ଛୁରି ମାରି ହତ୍ୟା କରାଯାଇଛି। ଘଟଣାଟି ଅନ୍ଧେରି ଓ ବୋରିଭାଲି ଷ୍ଟେସନ୍ ମଧ୍ୟରେ ଚର୍ଚ୍ଚଗେଟ୍–ନାଲାସୋପାରା ଫାଷ୍ଟ ଲୋକାଲ୍ ଟ୍ରେନ୍ର ପ୍ରଥମ ଶ୍ରେଣୀ ବଗିରେ ଘଟିଥିଲା। ପୁଲିସ ସୂଚନା ଅନୁସାରେ, ଭାରି ବର୍ଷା ହେଉଥିବା ବେଳେ ଟ୍ରେନ୍ର ଦ୍ୱାର ଖୋଲା ରଖିବା କି ବନ୍ଦ କରିବାକୁ ନେଇ ମୟଙ୍କ ଓ ଅନ୍ୟ ଜଣେ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ବର୍ଷା ପାଣି ବଗି ଭିତରକୁ ପଶୁଥିବାରୁ କିଛି ଯାତ୍ରୀ ଦ୍ୱାର ବନ୍ଦ କରିବାକୁ କହିଥିଲେ। ଏହି ସାଧାରଣ ବିବାଦ କ୍ରମେ ହିଂସାତ୍ମକ ରୂପ ନେଇଥିଲା। ଅଭିଯୁକ୍ତ ରୋଶନ ସୁବର୍ଣ୍ଣ (୩୦) ନିଜ ବ୍ୟାଗରୁ ଏକ ଛୁରି ବାହାର କରି ମୟଙ୍କଙ୍କ ଛାତି ଓ ପେଟରେ ଏକାଧିକ ଥର ଆକ୍ରମଣ କରିଥିବା ପୁଲିସ କହିଛି। ଆକ୍ରମଣ ପରେ ସେ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଛୁରି ଦେଖାଇ ଧମକ ଦେଇଥିଲା, ଫଳରେ କେହି ମୟଙ୍କଙ୍କୁ ବଞ୍ଚାଇବାକୁ ଆଗକୁ ଆସିପାରିନଥିଲେ। ରାତି ପ୍ରାୟ ୧୧ଟା ସମୟରେ ଟ୍ରେନ୍ ବୋରିଭାଲି ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଟ୍ରେନ୍ରୁ ଲମ୍ଫ ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଆହତ ମୟଙ୍କଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୟଙ୍କ ଲୋହାର ଭିରାର ଅଞ୍ଚଳର ବାସିନ୍ଦା। ସେ ଅନ୍ଧେରୀର ଏକ ପୋଷାକ ଶୋରୁମ୍ରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ସେ ଏହି ମର୍ମନ୍ତୁଦ ଘଟଣାର ଶିକାର ହୋଇଥିଲେ।ଘଟଣା ପରେ ପୁଲିସ ବ୍ୟାପକ ତଲାସି ଅଭିଯାନ ଚଳାଇ ପନଭେଲ ଅଞ୍ଚଳରୁ ଅଭିଯୁକ୍ତ ରୋଶନ ସୁବର୍ଣ୍ଣଙ୍କୁ ଗିରଫ କରିଛି। ମୟଙ୍କକ ବାପା କହିଛନ୍ତି, ହତ୍ୟାକାରୀକୁ ଫାଶୀ ଦିଆଯାଉ। ଛୋଟ ଭଉଣୀ କହିଛନ୍ତି, ବଗିରେ ଥିବା ୩୦ ଯାତ୍ରୀ କରୁଥିଲେ କଅଣ। କେହି କଅଣ ତାଙ୍କ ଭାଇକୁ ବଞ୍ଚାଇବାକୁ ଆଗକୁ ଆସିପାରିଲେନି। କୁଆଡ଼େ ଗଲା ସମ୍ୱେଦନଶୀଳତା। ମୟଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ମୟଙ୍କ ବିରାରର ଜିବଦାନି ରୋଡରେ ଅମରନାଥ ବିଲଡିଂରେ ନିଜ ବାପା ମାଆ, ଭାଇ ଓ ସାନ ଭଉଣୀ ସହ ରହୁଥିଲେ। କମ୍ ବୟସରୁ ପରିବାରର ବୋଝ ଉଠାଇବାକୁ ଦାୟିତ୍ୱ ନେଇଥିଲେ।
