କେନ୍ଦୁଝରରେ ବିକାଶର ନୂଆ ଅଧ୍ୟାୟ: ୧୨୯୨ କୋଟିର ୩୩୦ ପ୍ରକଳ୍ପର ଶୁଭାରମ୍ଭ, ୬୩୦ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝରରେ ୧୨୯୨ କୋଟି ଟଙ୍କାର ୩୩୦ଟି ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ CM ମୋହନ ମାଝୀ। ୬୩୦ ଆଦର୍ଶ ବିଦ୍ୟାଳୟ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ।

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବିକାଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ଆଜି ୧୨୯୨ କୋଟି ଟଙ୍କାର ୩୩୦ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ରାଜ୍ୟର ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ଅଛି। ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟରେ ଏହି ସ୍କୁଲଗୁଡ଼ିକ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସକୁ ୧୪ କୋଟି ଟଙ୍କା ବ୍ୟୟରେ ଲୋକାର୍ପଣ କରିଥିବା ବେଳେ ୨୩୭ କୋଟି ଟଙ୍କା ବ୍ୟୟରେ ୧୫ ମହଲା ବିଶିଷ୍ଟ ଟେକ୍-ବିଜନେସ୍ ପାର୍କର ଶିଳାନ୍ୟାସ କରିଛନ୍ତି। ଏହା ଉତ୍ତର ଓଡ଼ିଶାରେ ନିଯୁକ୍ତି ଓ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଧରଣୀଧର ମେଡିକାଲ କଲେଜ ପରିସରରେ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସ୍ୱଦେଶୀ ପ୍ରଯୁକ୍ତିଭିତ୍ତିକ ମାଗଣା ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଥିସହ ୫୮.୪୦ କୋଟି ଟଙ୍କାର ଡେଣ୍ଟାଲ କଲେଜ ଓ ୬୩ କୋଟି ଟଙ୍କାର ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଜିଲ୍ଲାରେ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୋଟ ୩୩୦ ପ୍ରକଳ୍ପ ମଧ୍ୟରୁ ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପ ଲୋକାର୍ପିତ ହୋଇଥିବା ବେଳେ ୮୮୦ କୋଟିରୁ ଅଧିକ ଟଙ୍କାର ୧୩୨ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହାବ୍ୟତୀତ ୨୩ଟି ନୂତନ ଆମ୍ବୁଲାନ୍ସ, ଛାତ୍ରଛାତ୍ରୀଙ୍କ ପାଇଁ NCMC କାର୍ଡ ଏବଂ ପୌରାଞ୍ଚଳର ପରିମଳ ବ୍ୟବସ୍ଥା ପାଇଁ ଯାନବାହନ ପ୍ରଦାନ କରାଯାଇଛି। ସମାରୋହରେ ଭାବବିହ୍ୱଳ ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କେନ୍ଦୁଝରବାସୀଙ୍କ ପାଇଁ ସେ ସେହି ପୁରୁଣା 'ମୋହନ ଭାଇ'। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନ୍ମମାଟିର ସେବା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

