କାଂଶବାଂଶ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
କାଂଶବାଂଶ ନଦୀରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ, ଉଦ୍ଧାର ପରେ ମୃତ ଘୋଷଣା । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗାଧୋଇବାକୁ ଯାଇ ଜଣେ ଯୁବକ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗାଧୋଇବାକୁ ଯାଇ ଜଣେ ଯୁବକ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକ ହେଲେ ସୋର ବ୍ଲକ ଦହିସଡା ପଞ୍ଚାୟତ ସୁଲତାନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ବିଶ୍ୱଜିତ ପାତ୍ର। ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିଶ୍ୱଜିତ ସାଙ୍ଗମାନଙ୍କ ସହ ସୋର ଜେଲ ନିକଟସ୍ଥ କାଂଶବାଂଶ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ଗୋଡ଼ ଖସିଯିବାରୁ ସେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଘଟଣା ପରେ ସାଙ୍ଗମାନେ ପରିବାରକୁ ଖବର ଦେବା ସହ ଗ୍ରାମବାସୀମାନେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସୋର ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ସୋର ଦମକଳ ଗାଡ଼ି ବ୍ୟସ୍ତ ଥିବାରୁ ବାହାନଗା ଅଗ୍ନିଶମ ବାହିନୀ ପ୍ରାୟ ୩୦ ମିନିଟ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ପୋଲଠାରୁ ପ୍ରାୟ ୨୦୦ ମିଟର ଦୂରରୁ ବିଶ୍ୱଜିତଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ସୋର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସୁଲତାନପୁର ଗ୍ରାମ ସହ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।
