JNU Professor Dismiss: ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ମାମଲାରେ JNUରୁ ବହିଷ୍କୃତ
ମଣିପୁରର କଂଗ୍ରେସ ସାଂସଦ ତଥା JNU ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ନେଇ ବଡ ବିବାଦ ଠିଆ ହେଇଛି । ୧୧ ଜଣ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ JNUରୁ ବହିଷ୍କୃତ ହେଇଛନ୍ତି ବିମୋଲ | ହେଲେ ସାଂସଦଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଆପତ୍ତି ରହିଛି।
ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) କଂଗ୍ରେସ ସାଂସଦ ତଥା ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଚାକିରିରୁ ବହିଷ୍କାର କରିଛି। ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ତଦନ୍ତ କରିବା ପରେ ଅକ୍ଟୋବର ୯ରେ ଏହି ନିଷ୍ପତ୍ତି ନିଆଯାଇଛି। ଆକୋଇଜାମ JNUର ସ୍କୁଲ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ଅଧୀନ ସେଣ୍ଟର ଫର୍ ଦି ଷ୍ଟଡି ଅଫ୍ ସୋସିଆଲ୍ ସିଷ୍ଟମ୍ସରେ ପ୍ରଫେସର ଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ମଣିପୁରର ଇନର ମଣିପୁର ଆସନରୁ ନିର୍ବାଚିତ ହୋଇଥିଲେ। ଖବର ଅନୁଯାୟୀ,୧୧ ଜଣ ଛାତ୍ରୀ ତାଙ୍କ ବିରୋଧରେ ମେ’ ୧୮ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗରେ ଶ୍ରେଣୀ ଓ ମୌଖିକ ପରୀକ୍ଷା ସମୟରେ ଅନୁଚିତ ଯୌନ ସଙ୍କେତପୂର୍ଣ୍ଣ ମନ୍ତବ୍ୟ, ଅନାବଶ୍ୟକ ନିକଟତା ଏବଂ ଶିକ୍ଷାଗତ ଆଲୋଚନା ସମୟରେ ଅସଦାଚରଣ ଦାବି ରହିଥିଲା। ଏହି ସବୁ ଅଭିଯୋଗକୁ ଆଭ୍ୟନ୍ତରୀଣ କମିଟିରେ ବିଚାର କରାଯାଇଥିଲା। ଘଟଣାଟି ଆରମ୍ଭ ହେଇଥିଲା ଏକ ଛାତ୍ରୀ ମୌଖିକ ପରୀକ୍ଷା ପରେ ନିଜ ଅନୁଭବ ଛାତ୍ରୀମାନଙ୍କ ଏକ ହ୍ଵାଟ୍ସଆପ ଗ୍ରୁପ୍ରେ ସେୟାର କରିବା ପରେ | ତେବେ,ସମାନ ଅନୁଭବ ଥିବା ଅନ୍ୟ ଛାତ୍ରୀମାନେ ମଧ୍ୟ ଆଗକୁ ଆସି ଯୋଡି ହୋଇଥିଲେ। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ନିଜ ପକ୍ଷ ରଖିବା ପାଇଁ ୯୦ ଦିନ ସମୟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ସେପ୍ଟେମ୍ବରରେ ବିଶ୍ୱବିଦ୍ୟାଳୟ ପ୍ରଶାସନଠାରୁ ରିପୋର୍ଟ ମାଗିଥିଲା। ବିଶ୍ୱବିଦ୍ୟାଳୟର ଉପକୁଳପତି ସାନ୍ତିଶ୍ରୀ ଡି. ପଣ୍ଡିତଙ୍କ ସ୍ୱାକ୍ଷରିତ ଆଦେଶରେ କୁହାଯାଇଛି, ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଓ ଉପଲବ୍ଧ ତଥ୍ୟ ବିଚାର କରି ନିୟମ ଅନୁଯାୟୀ ବହିଷ୍କାର ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ, ଆକୋଇଜାମ ଅଭିଯୋଗକୁ ଖଣ୍ଡନ କରି ଏହାକୁ ତାଙ୍କ ବିରୋଧରେ ଚାଲିଥିବା ଅଭିଯାନ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ଛାତ୍ର ସଂଗଠନ ABVP ପୂର୍ବରୁ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏବେ ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ପରେ ମାମଲା ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ହୋଇଛି।
