ଚୋରି ଓ ଦାଦାବଟି ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ଜୟପୁର ପୋଲିସକୁ ବଡ ସଫଳତା । ଚୋରି ଓ ଦାଦାବଟି ଭଳି ବିଭିନ୍ନ ମାମଲାରେ ୮ ଜଣ ଅଭିଯୁକ୍ତ ଗିରଫ । ୧୦ ଲକ୍ଷ ୫୦ ହଜାର ଟଙ୍କାର ଚୋରି ଓ ଜବତ ସାମଗ୍ରୀ ଉଦ୍ଧାର କରିଛି ପୋଲିସ।

ଜୟପୁର: ଚୋରି ଓ ଦାଦାବଟି ଭଳି ଅପରାଧ ବିରୋଧରେ ଜୟପୁର ଟାଉନ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ ୧୦ ଲକ୍ଷ ୫୦ ହଜାର ଟଙ୍କାର ଚୋରି ଓ ଜବତ ସାମଗ୍ରୀ ଉଦ୍ଧାର କରିଛି ପୋଲିସ। ପୋଲିସ ସୂଚନା ଅନୁଯାୟୀ, CCTV ଫୁଟେଜ୍, ମାନବୀୟ ସୂଚନା ଏବଂ ରାତ୍ରିକାଳୀନ ପାଟ୍ରୋଲିଂକୁ ଆଧାର କରି ଚୋରି ଘଟଣାର ତଦନ୍ତ ଆଗକୁ ବଢ଼ାଯାଇଥିଲା। ଏହି ଅଭିଯାନରେ ବିଭିନ୍ନ ଚୋରି ମାମଲା ସହ ଜଡ଼ିତ ଅଭିଯୁକ୍ତମାନେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ସୁନା ଓ ରୁପା ଅଳଙ୍କାର ସମେତ ସ୍ମାର୍ଟ TV, ଡେସ୍କଟପ୍, ପାଣି ପମ୍ପ, ସିଲେଇ ମେସିନ୍ ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। ସେହିପରି ପଞ୍ଚାନନ ମନ୍ଦିର ଛକ ନିକଟରେ ଦାଦାବଟି ଆଦାୟ ଓ ଧମକ ଦେବା ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଧରିଛି। ସେମାନଙ୍କ ନିକଟରୁ ୨ଟି ଛୁରୀ ଓ ୬୪୦ ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ, ଅପରାଧ ନିୟନ୍ତ୍ରଣକୁ ଅଧିକ ଦୃଢ଼ କରିବା ପାଇଁ ସଞ୍ଜୟ ସୁନାଙ୍କ ବିରୋଧରେ NSA ଅଧୀନରେ ପ୍ରତିଷେଧକ ପଦକ୍ଷେପ ନିଆଯାଇଛି। ପୋଲିସ ସୂଚନା ଅନୁସାରେ, ସଞ୍ଜୟ ସୁନାଙ୍କ ବିରୋଧରେ ୨୫ଟି ଅପରାଧିକ ମାମଲା ରହିଛି। ଚୋରି, ଦାଦାବଟି ଓ ଅନ୍ୟାନ୍ୟ ଅପରାଧ ଉପରେ ନଜର ରଖି ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
