ଧରାପଡ଼ିଲେ ପଶ୍ଚିମବଙ୍ଗର ପୁଷ୍ପା
ଜାହାଙ୍ଗିର ଖାନ ନେପାଳ ସୀମା ଦେଇ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏହାପରେ STF ଉତ୍ତରବଙ୍ଗର ବିଭିନ୍ନ ସ୍ଥାନରେ ନଜର ରଖିଥିଲା। ଶେଷରେ ଭାରତ-ନେପାଳ ସୀମା ନିକଟରୁ ତାଙ୍କୁ ଧରିବାରେ ସଫଳ ହୋଇଥିଲା।

ପଶ୍ଚିମବଙ୍ଗ ରାଜନୀତିର ଚର୍ଚ୍ଚିତ ନାମ ତଥା ତୃଣମୂଳ କଂଗ୍ରେସ (TMC) ନେତା ଜାହାଙ୍ଗିର ଖାନଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଚାନ୍ଦା ଆଦାୟ, ଭୟ ଦେଖାଇ ଟଙ୍କା ଉଠାଇବା ଏବଂ ଅନ୍ୟାନ୍ୟ ଆପରାଧିକ ମାମଲାରେ ଅଭିଯୁକ୍ତ ଥିବା ଜାହାଙ୍ଗିର ଖାନଙ୍କୁ ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ଭାରତ-ନେପାଳ ସୀମା ନିକଟରୁ ଆଜି ଗିରଫ କରିଛି। ଏହି ଗିରଫଦାରୀ ପରେ ରାଜ୍ୟର ରାଜନୈତିକ ମହଲରେ ନୂଆ ବିତର୍କ ସୃଷ୍ଟି ହୋଇଛି।ଜାହାଙ୍ଗିର ଖାନ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫାଲ୍ଟା ଅଞ୍ଚଳର ଜଣେ ପ୍ରଭାବଶାଳୀ TMC ନେତା। ସେ ୨୦୨୬ ବିଧାନସଭା ନିର୍ବାଚନରେ ଫାଲ୍ଟା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ହେଲେ ରିପୋଲିଂ ବ୍ୟବହିତ ପୂର୍ବରୁ ଆଉ ଲଢ଼ିବେନି ବୋଲି ଅଚାନକ କହିଥିଲେ। ଆଶ୍ଚର୍ଯ୍ୟଜନ ଭାବେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ବି ପ୍ରଶଂସାରେ ପୋତିପକାଇଥିଲେ। ନିର୍ବାଚନରୁ ଓହରିବା ନିଷ୍ପତ୍ତି ବ୍ଯକ୍ତିଗତ ବୋଲି କହିଥିଲା ଟିଏମସି। ଏ ବାବଦରେ ଦଳ ନିଷ୍ପତ୍ତି ନେଇନି ବୋଲି କହିଥିଲା ଟିଏମସି। ସ୍ଥାନୀୟ ରାଜନୀତିରେ ତାଙ୍କର ବେଶ ପ୍ରଭାବ ରହିଥିଲା ଏବଂ ସମର୍ଥକମାନଙ୍କ ମଧ୍ୟରେ ସେ ଜଣେ ଶକ୍ତିଶାଳୀ ନେତା ଭାବେ ପରିଚିତ ଥିଲେ।ତେବେ ବିଗତ କିଛି ବର୍ଷ ଧରି ତାଙ୍କ ନାମ ବିଭିନ୍ନ ବିବାଦ ଓ ଅପରାଧିକ ଅଭିଯୋଗ ସହ ଜଡ଼ିତ ରହିଛି। ବିରୋଧୀ ଦଳମାନେ ତାଙ୍କୁ ‘ଫାଲ୍ଟାର ପୁଷ୍ପା’ ବୋଲି କଟାକ୍ଷ କରୁଥିଲେ। କାରଣ ସେ ନିଜକୁ ଚଳଚ୍ଚିତ୍ର Pushpaର ଚରିତ୍ର ସହ ତୁଳନା କରି ଅନେକ ବାର ଚର୍ଚ୍ଚାକୁ ଆସିଥିଲେ। ଜାହାଙ୍ଗିର ଖାନଙ୍କ ବିରୋଧରେ ଚାନ୍ଦା ଆଦାୟ, ଧମକ ଦେଇ ଟଙ୍କା ଉଠାଇବା, ଜମି ବିବାଦ ଏବଂ ସଂଗଠିତ ଅପରାଧ ସମ୍ପର୍କିତ ଏକାଧିକ ଅଭିଯୋଗ ରହିଛି। ଫାଲ୍ଟା ଥାନାରେ ତାଙ୍କ ବିରୋଧରେ ସାତରୁ ଅଧିକ ମାମଲା ରୁଜୁ ହୋଇଛି। ନିକଟରେ କୋଲକାତା ହାଇକୋର୍ଟ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ବାତିଲ କରିଦେବା ପରେ ଗିରଫର ଆଶଙ୍କା ବଢ଼ିଥିଲା। ଏହାପରେ ସେ ଲୁଚି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତକାରୀ ସଂସ୍ଥାଙ୍କୁ ଗୁପ୍ତ ସୂଚନା ମିଳିଥିଲା ଯେ ଜାହାଙ୍ଗିର ଖାନ ନେପାଳ ସୀମା ଦେଇ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏହାପରେ STF ଉତ୍ତରବଙ୍ଗର ବିଭିନ୍ନ ସ୍ଥାନରେ ନଜର ରଖିଥିଲା। ଶେଷରେ ଭାରତ-ନେପାଳ ସୀମା ନିକଟରୁ ତାଙ୍କୁ ଧରିବାରେ ସଫଳ ହୋଇଥିଲା।ପୋଲିସ ମତରେ, ଗିରଫ ଏଡ଼ାଇବା ପାଇଁ ସେ ଲଗାତାର ନିଜ ଅବସ୍ଥାନ ବଦଳାଉଥିଲେ। କିନ୍ତୁ ଟେକ୍ନିକାଲ୍ ସର୍ଭେଲାନ୍ସ ଓ ଗୁଇନ୍ଦା ସୂଚନା ଆଧାରରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଥିଲା। ଜାହାଙ୍ଗିର ଖାନଙ୍କ ଗିରଫଦାରୀକୁ ନେଇ ବିରୋଧୀ BJP ଓ ବାମ ଦଳଗୁଡ଼ିକ TMC ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ ରାଜ୍ୟରେ ଶାସକ ଦଳର କିଛି ନେତା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଛନ୍ତି।ଅନ୍ୟପଟେ TMC ପକ୍ଷରୁ କୁହାଯାଇଛି ଯେ ଆଇନ ନିଜ ବାଟରେ କାମ କରୁଛି ଏବଂ ଦୋଷୀ ସାବ୍ୟସ୍ତ ହେଲେ କାହାକୁ ବି ଛାଡ଼ ଦିଆଯିବ ନାହିଁ। ଗିରଫ ପରେ ଜାହାଙ୍ଗିର ଖାନଙ୍କୁ କୋର୍ଟରେ ହାଜର କରାଯିବ। ପୋଲିସ ତାଙ୍କ ରିମାଣ୍ଡ ଆବେଦନ କରିପାରେ। ତାଙ୍କ ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଏବଂ ଅଭିଯୋଗଗୁଡ଼ିକର ସତ୍ୟତା କେତେ ରହିଛି, ସେନେଇ ତଦନ୍ତ ଜାରି ରହିଛି।ଜାହାଙ୍ଗିର ଖାନଙ୍କ ଗିରଫଦାରୀ ପଶ୍ଚିମବଙ୍ଗର ରାଜନୀତିରେ ଏକ ବଡ଼ ଘଟଣା ଭାବେ ବିବେଚନା କରାଯାଉଛି।
