Cyclone Shelters: ଖଟିଆରେ ଅସୁସ୍ଥଙ୍କୁ ବୋହିଲେ ଜିଲ୍ଲାପାଳ ଓ ଏସ୍ପି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁରରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା। ଅସୁସ୍ଥଙ୍କୁ ଖଟିଆରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଲେ ଜିଲ୍ଲାପାଳ ଓ ଏସ୍ପି।
ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଜୋରଦାର ହୋଇଛି ପ୍ରଶାସନିକ ପ୍ରସ୍ତୁତି। ବାତ୍ୟା ମୁକାବିଲା ପାଇଁ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ମାନବିକତାର ଏକ ନିଆରା ଉଦାହରଣ ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନୁୱାଲ ଓ ଏସ୍ପି ଅଙ୍କିତ କୁମାର ବର୍ମା। ସ୍ଥାନାନ୍ତର ପ୍ରକ୍ରିୟାରେ କିଛି ଅସୁସ୍ଥ ଓ ଚାଲିବାକୁ ଅକ୍ଷମ ଲୋକ ସାମିଲ ଥିବା ଦେଖି ଉଭୟ ଅଧିକାରୀ ବିଳମ୍ବ ନକରି ଖଟିଆରେ ସେମାନଙ୍କୁ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିଲେ। ବାତ୍ୟା ଅକୱାନକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ନିକଟରେ ସମୁଦ୍ରର ଉତ୍ତାଳ ରୂପ ଦେଖିବାକୁ ମିଳିଛି। ଆଳି, ପଦ୍ମପୁର, ରାମତରା, କଳାବେଦୀ, ଗଡ଼ହରିଶପୁର, ଗଡ଼ବିଶନପୁର ଓ ଗୋଡ଼ା ଆଦି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ଥିତିକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଉଛି। ଜିଲ୍ଲାପାଳ ଓ ଏସ୍ପିଙ୍କ ଏହି ମାନବିକ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
