No Flight Cancelled Yet:ବାତ୍ୟାକୁ ନେଇ ଭୁବନେଶ୍ୱର ବିମାନବନ୍ଦର ସତର୍କ, ଏବେ ସୁଦ୍ଧା ବାତିଲ ହୋଇନି କୌଣସି ଫ୍ଲାଇଟ୍
ବାତ୍ୟାକୁ ନେଇ ସତର୍କ ଭୁବନେଶ୍ୱର ବିମାନବନ୍ଦର। ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ। ଏବେ ସୁଦ୍ଧା ସ୍ୱାଭାବିକ ରହିଛି ବିମାନ ଚଳାଚଳ।

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସତର୍କ ହୋଇଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ବାତ୍ୟାର ମୁକାବିଲା ପାଇଁ ବିମାନବନ୍ଦର ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। SOP ଏବଂ Technical Instructions Manual ଅନୁଯାୟୀ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ସ୍ଥିତି ଉପରେ ଏୟାରପୋର୍ଟ ଷ୍ଟେକ୍ହୋଲ୍ଡର୍ସ କମିଟି ନଜର ରଖିଛି। ତେବେ ଏବେ ସୁଦ୍ଧା କୌଣସି ବିମାନ ବାତିଲ ହୋଇନାହିଁ। ସ୍ୱାଭାବିକ ଭାବେ ଚାଲିଛି ବିମାନ ଚଳାଚଳ। ବିମାନବନ୍ଦର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେଉଥିବାବେଳେ ପବନର ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ରହିଛି। ବାତ୍ୟାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଷ୍ଟେକ୍ହୋଲ୍ଡର୍ସଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ପବନର ବେଗ ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କଲେ ହିଁ ବିମାନ ଚଳାଚଳ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ସ୍ଥିତିରେ ଆଗୁଆ କୌଣସି ଫ୍ଲାଇଟ୍ ବାତିଲ କିମ୍ବା ବିମାନବନ୍ଦରର ଅପରେସନ୍ ବନ୍ଦ କରିବାର ଯୋଜନା ନାହିଁ। ଯାତ୍ରୀମାନଙ୍କୁ ବିମାନବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ନିଜ ଫ୍ଲାଇଟ୍ର ସ୍ଥିତି ଯାଞ୍ଚ କରିବାକୁ ବିମାନବନ୍ଦର ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ବାତ୍ୟାର ମୁକାବିଲା ପାଇଁ ବିମାନବନ୍ଦର ପକ୍ଷରୁ ମୋଟ ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟାର ପ୍ରଭାବ ଏବଂ ପବନର ବେଗକୁ ଆଧାର କରି ପରବର୍ତ୍ତୀ ସମୟରେ ବିମାନ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେଣୁ ଯାତ୍ରୀମାନେ ନିଜ ନିଜ ବିମାନର ଅପଡେଟ୍ ଯାଞ୍ଚ କରି ଯାତ୍ରା ଯୋଜନା କରିବା ଜରୁରୀ।
