80s Trend: AI ଫଟୋରେ ଫେରିଲା ପୁରୁଣା ଦିନର ଫ୍ୟାଶନ୍
୮୦ ଦଶକକୁ ଫେରାଇ ନେଉଛି Instagramର ନୂଆ AI ଟ୍ରେଣ୍ଡ, ଫଟୋରୁ ତିଆରି ହେଉଛି ‘80s ଲୁକ୍
ଭୁବନେଶ୍ୱର: Instagram ଖୋଲିଲେ ଏବେ ଯେମିତି ଲାଗୁଛି ୧୯୮୦ ଦଶକକୁ ଫେରିଯାଇଛି ସୋସିଆଲ ମିଡିଆ। ବଡ଼ ବଡ଼ ହେୟାରଷ୍ଟାଇଲ୍, ଓଭରସାଇଜ୍ଡ ଚଷମା, ରଙ୍ଗୀନ ପୋଷାକ, ପୁରୁଣା ଦିନର ଘର, ଫିଲ୍ମ ଗ୍ରେନ୍ ଫିଲ୍ଟର ଓ ରେଟ୍ରୋ ପୋଜ୍—ସବୁକିଛି ଏବେ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି। ଏହାକୁ ନେଇ ଆରମ୍ଭ ହୋଇଛି ‘80s Trend’। AI ଇମେଜ୍ ଜେନେରେଟର ମାଧ୍ୟମରେ ନିଜ ଫଟୋକୁ ୧୯୮୦ ଦଶକର ଷ୍ଟାଇଲ୍ରେ ପରିବର୍ତ୍ତନ କରୁଛନ୍ତି ୟୁଜର୍ସ।
କିପରି ଟ୍ରେଣ୍ଡ କରୁଛି ‘80s ଲୁକ୍’?
ଏହି ଟ୍ରେଣ୍ଡ ବେଶ୍ ସରଳ। ୟୁଜର୍ସ ନିଜର ଏକ ଫଟୋ AI ଇମେଜ୍ ଜେନେରେଟରରେ ଅପଲୋଡ୍ କରି ଏହାକୁ ୧୯୮୦ ଦଶକର ଫଟୋ ଭଳି ପରିବର୍ତ୍ତନ କରିବାକୁ କହୁଛନ୍ତି। ଫଳରେ ରେଟ୍ରୋ ବଲିଉଡ୍ ଷ୍ଟାଇଲ୍ଠାରୁ ଆରମ୍ଭ କରି ପୁରୁଣା ପରିବାର ଫଟୋ ଭଳି ଚିତ୍ର ମଧ୍ୟ ତିଆରି ହେଉଛି। Instagramର ‘Add Yours’ ଫିଚର ମଧ୍ୟ ଏହି ଟ୍ରେଣ୍ଡକୁ ଆହୁରି ଲୋକପ୍ରିୟ କରିଛି। ଜଣେ ନିଜର ‘80s ଲୁକ୍’ ସେୟାର କରୁଥିବା ବେଳେ ଅନ୍ୟମାନେ ମଧ୍ୟ ସେହି ଟ୍ରେଣ୍ଡରେ ସାମିଲ ହେଉଛନ୍ତି।
Ghibli ପରେ ଏବେ ‘80s ଟ୍ରେଣ୍ଡ
AI ଇମେଜ୍ ଟ୍ରେଣ୍ଡ ମଧ୍ୟରେ ଏହା ନୂଆ ନୁହେଁ। ୨୦୨୫ ମାର୍ଚ୍ଚରେ Studio Ghibli ଷ୍ଟାଇଲ୍ ଟ୍ରେଣ୍ଡ ସୋସିଆଲ ମିଡିଆରେ ଧୁମ୍ ମଚାଇଥିଲା। ଲୋକେ ନିଜ ଫଟୋଠାରୁ ଆରମ୍ଭ କରି ମିମ୍ ଓ ଖବର ଚିତ୍ରକୁ ମଧ୍ୟ Ghibli ଭଳି ଆନିମେସନ୍ ଷ୍ଟାଇଲ୍ରେ ପରିବର୍ତ୍ତନ କରିଥିଲେ। ତେବେ ସେହି ଟ୍ରେଣ୍ଡକୁ ନେଇ କପିରାଇଟ୍, କଳାକୃତିର ମାଲିକାନା ଓ AI ଦ୍ୱାରା ପରିଚିତ ଆର୍ଟିଷ୍ଟିକ୍ ଷ୍ଟାଇଲ୍ର ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଥିଲା।
ଟ୍ରେଣ୍ଡିଂ VIBES
‘80s Trend’ରେ ଏଥର ନଷ୍ଟାଲଜିଆ ହିଁ ମୁଖ୍ୟ ଆକର୍ଷଣ। ଯେଉଁମାନେ ୮୦ ଦଶକ ଦେଖିନାହାନ୍ତି, ସେମାନଙ୍କ ପାଇଁ ଏହା ସେହି ସମୟର ଫ୍ୟାଶନ୍ ଓ ଜୀବନଶୈଳୀକୁ ଦେଖିବାର ଏକ ମାଧ୍ୟମ। ଆଉ ଯେଉଁମାନେ ସେହି ସମୟରେ ବଡ଼ ହୋଇଛନ୍ତି, ସେମାନଙ୍କୁ ଏହା ପୁରୁଣା ସ୍ମୃତି ମନେ ପକାଇ ଦେଉଛି। ଯୁବପୀଢୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି ଏହି ଟ୍ରେଣ୍ଡରୁ।
AI ଟ୍ରେଣ୍ଡ ମଧ୍ୟରେ ବଢ଼ୁଛି ପ୍ରାଇଭେସି ଚିନ୍ତା
ତେବେ ମନୋରଞ୍ଜନ ପଛରେ ରହିଛି କିଛି ଗମ୍ଭୀର ପ୍ରଶ୍ନ। AI ଟୁଲ୍ରେ ଅପଲୋଡ୍ କରାଯାଉଥିବା ଫଟୋର କ’ଣ ହେଉଛି? ଫଟୋ ହେଉଛି ବ୍ୟକ୍ତିଗତ ତଥ୍ୟ। ତେଣୁ ଏହା କିପରି ଷ୍ଟୋର୍, ପ୍ରୋସେସ୍ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏକ ମଜାଦାର ଫଟୋ ତିଆରି କରିବାର ଉତ୍ସାହରେ ୟୁଜର୍ସ ଅନେକ ସମୟରେ ନିଜ ମୂଳ ଫଟୋ ସହ କ’ଣ ଘଟୁଛି, ସେଥିପ୍ରତି ଧ୍ୟାନ ଦେଇନଥାନ୍ତି।
AI ଦ୍ୱାରା ଫଟୋ ତିଆରି ହେବାକୁ କିଛି ସେକେଣ୍ଡ ଲାଗୁଥିଲେ ମଧ୍ୟ ଏହା ପଛରେ ରହିଛି ବଡ଼ କମ୍ପ୍ୟୁଟିଂ ସିଷ୍ଟମ୍। ଡାଟା ସେଣ୍ଟରରେ ଚାଲୁଥିବା ସର୍ଭର ପାଇଁ ବିଦ୍ୟୁତ ଆବଶ୍ୟକ ହେବା ସହ କୁଲିଂ ପାଇଁ ପାଣି ମଧ୍ୟ ଖର୍ଚ୍ଚ ହୋଇପାରେ। ଗୋଟିଏ ବ୍ୟକ୍ତି ଗୋଟିଏ ରେଟ୍ରୋ ଫଟୋ ତିଆରି କଲେ ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଟ୍ରେଣ୍ଡ ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚେ, ସେତେବେଳେ ସାମୂହିକ ଭାବେ ବିଦ୍ୟୁତ, ପାଣି ଓ କମ୍ପ୍ୟୁଟିଂ ସମ୍ବଳର ଚାହିଦା ବଢ଼ିଯାଏ।
ସୋସିଆଲ ମିଡିଆ ଟ୍ରେଣ୍ଡର ଜୀବନ ଖୁବ୍ ଛୋଟ। ଆଜି ‘80s Trend’, କାଲି ଆଉ କିଛି ନୂଆ। କିନ୍ତୁ ଟ୍ରେଣ୍ଡ ବଦଳିଗଲେ ମଧ୍ୟ AI ଦ୍ୱାରା ଫଟୋ ତିଆରିର ପ୍ରକ୍ରିୟା ପଛରେ ରହିଯାଉଛି ଡାଟା, ଶକ୍ତି ଓ ସମ୍ବଳର ବ୍ୟବହାର।
