Poor Road Construction : ପିଚୁ ରାସ୍ତା ନା ଘାସ ଗାଲିଚା? ଇନ୍ଦୁପୁରାରେ ନିମ୍ନମାନର କାମ ଅଭିଯୋଗ
ଗ୍ରାମରେ ନିର୍ମାଣାଧୀନ ପିଚୁ ରାସ୍ତାକୁ ନେଇ ତେଜିଲା ଅସନ୍ତୋଷ! ଗ୍ରାମବାସୀଙ୍କ ଅଭିଯୋଗ, ଗୋଡ଼ରେ ଆଡ଼େଇଲେ ଉଠିଯାଉଛି ପିଚୁ, ଆଉ ରାସ୍ତା ଭିତରୁ ଦେଖାଯାଉଛି ଘାସ |

ନିର୍ମାଣ ସରୁ ସରୁ ଉଠିଲା ପିଚୁ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଇନ୍ଦୁପୁରା ଗ୍ରାମରେ ନିର୍ମାଣାଧୀନ ପିଚୁ ରାସ୍ତା କାମକୁ ନେଇ ଦେଖାଦେଇଛି ଅସନ୍ତୋଷ। ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଘଟଣାର ତଦନ୍ତ କରାଯିବ ଏବଂ ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ଠିକାଦାରଙ୍କ ବିଲ୍ ବନ୍ଦ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସୂଚନା ଅନୁଯାୟୀ, ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୨୨ ଲକ୍ଷ ଟଙ୍କା ବ୍ୟୟବରାଦରେ ଇନ୍ଦୁପୁରା ଗ୍ରାମରେ ୧୭୦୦ ମିଟର ଲମ୍ବର ପିଚୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ତେବେ ରାସ୍ତା ନିର୍ମାଣ ସମୟରେ ଘାସ ଓ ମାଟି ଠିକ୍ ଭାବେ ସଫା ନକରି ତରବରିଆ ଭାବେ ପିଚୁ ପକାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାରେ ପକାଯାଇଥିବା ପିଚୁ ଏତେ ଦୁର୍ବଳ ଯେ, ଗୋଡ଼ରେ ଆଡ଼େଇ ଦେଲେ ମଧ୍ୟ ଉଠିଯାଉଛି। ଏପରିକି ରାସ୍ତାର ଅନେକ ସ୍ଥାନରେ ପିଚୁ ଭିତରୁ ଘାସ ଦେଖାଯାଉଛି। ଏଭଳି ଅବ୍ୟବସ୍ଥିତ ନିର୍ମାଣ ରାସ୍ତାର ଗୁଣବତ୍ତା ଓ ସ୍ଥାୟିତ୍ୱକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଦୀର୍ଘଦିନର ପ୍ରତିବାଦ ପରେ ଗାଁକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏଭଳି ନିମ୍ନମାନର କାମ ଯୋଗୁଁ ଅଳ୍ପଦିନ ମଧ୍ୟରେ ରାସ୍ତା ନଷ୍ଟ ହୋଇଯିବା ଆଶଙ୍କା କରିଛନ୍ତି ଗ୍ରାମବାସୀ। ଏହାସହ ନିର୍ମାଣ କାମର ଗୁଣବତ୍ତା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ଦାବି ହୋଇଛି।ଅନ୍ୟପଟେ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନିଜେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଲେ ଠିକାଦାରଙ୍କ ବିଲ୍ ବନ୍ଦ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ବିଭାଗୀୟ ତଦନ୍ତ ପରେ ରାସ୍ତା ନିର୍ମାଣର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଗ୍ରାମବାସୀଙ୍କ ନଜର ରହିଛି।
