Indravati Gate Open: ପ୍ରବଳ ବର୍ଷା ଆଶଙ୍କା, ଇନ୍ଦ୍ରାବତୀ ଡ୍ୟାମର ଗେଟ ଖୋଲିଲା
ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ । ସମୁଦାୟ ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ ।

୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ଗେଟ | ଲଘୁଚାପର ସମ୍ଭାବ୍ୟ ପ୍ରଭାବ ଏବଂ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ୭ ବର୍ଷ ପରେ ଖୋଲାଯାଇଛି ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଗେଟ ଖୋଲାଯିବା ସମୟରେ ଜଳସ୍ତର ୬୪୦.୨୯ ମିଟର ରହିଥିଲା । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି। ଗେଟ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଥିବା ବେଳେ ଗେଟ ଖୋଲିବା ପରେ ମୋଟ ୨୭୫.୨୮ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଛି। ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନେ ଡ୍ୟାମର ସ୍ଥିତି ଅନୁଧ୍ୟାନ କରିବା ପରେ ଗେଟ ଖୋଲାଯାଇଥିଲା। ଜଳସ୍ତର ୬୩୯.୬୦ ମିଟରକୁ ଖସିଲେ ଗେଟ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦିନରେ ବର୍ଷାର ସ୍ଥିତି ଅନୁଧ୍ୟାନ କରି ଅଧିକ ଗେଟ ଖୋଲାଯିବ କିମ୍ବା ବନ୍ଦ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ। ଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ନେଇ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ୨୦୧୯ ପରେ ପୁଣିଥରେ ଇନ୍ଦ୍ରାବତୀ ଡ୍ୟାମର ଗେଟ ଖୋଲାଯାଇଥିବାରୁ ଏବେ ଏହା ଉପରେ ସମସ୍ତଙ୍କ ନଜର ରହିଛି।
