ଭାରତରେ ସୁନା ବଜାର ମାନ୍ଦା- ଦର କମିବା ସତ୍ତ୍ୱେ କିଣୁନାହାନ୍ତି ଗ୍ରାହକ!
କେନ୍ଦ୍ର ସରକାର ସୁନା ଆମଦାନି ଶୁଳ୍କକୁ ୬%ରୁ ବଢ଼ାଇ ୧୫% କରିବା ପରେ ଦେଶର ସୁନା ବଜାରରେ ବଡ଼ ପ୍ରଭାବ ପଡ଼ିଛି।ସୁନାର ଦାମ ନିକଟରେ ତଳକୁ ଖସିବା ପରେ ଅନେକ ଲୋକ ଦାମ ଆହୁରି କମିପାରେ ବୋଲି ଆଶଙ୍କା କରି ପୁରୁଣା ସୁନା ଗହଣା ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ଗହଣା ଦୋକାନକୁ ବିକ୍ରି ପାଇଁ ଆସୁଥିବା ସୁନାର ପରିମାଣ ବଢ଼ିଥିବା ବେଳେ ନୂଆ କ୍ରେତାଙ୍କ ସଂଖ୍ୟା କମିଛି।

ଭାରତରେ ସୁନା କିଣା ହଠାତ୍ କମିଯାଇଛି। କେନ୍ଦ୍ର ସରକାର ସୁନା ଆମଦାନି ଶୁଳ୍କକୁ ୬%ରୁ ବଢ଼ାଇ ୧୫% କରିବା ପରେ ଦେଶର ସୁନା ବଜାରରେ ବଡ଼ ପ୍ରଭାବ ପଡ଼ିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁସାରେ, ଗତ ୧୫ ଦିନ ମଧ୍ୟରେ ସୁନାର ଚାହିଦା ୭୦%ରୁ ଅଧିକ ହ୍ରାସ ପାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମଦାନି ଶୁଳ୍କ ବୃଦ୍ଧି ହେତୁ ସୁନାର ଦାମ ବଢ଼ିଥିବାରୁ ଗ୍ରାହକମାନେ ନୂଆ ସୁନା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଅନ୍ୟପଟେ, ସୁନାର ଦାମ ନିକଟରେ ତଳକୁ ଖସିବା ପରେ ଅନେକ ଲୋକ ଦାମ ଆହୁରି କମିପାରେ ବୋଲି ଆଶଙ୍କା କରି ପୁରୁଣା ସୁନା ଗହଣା ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ଗହଣା ଦୋକାନକୁ ବିକ୍ରି ପାଇଁ ଆସୁଥିବା ସୁନାର ପରିମାଣ ବଢ଼ିଥିବା ବେଳେ ନୂଆ କ୍ରେତାଙ୍କ ସଂଖ୍ୟା କମିଛି। ଜୁଏଲର୍ସମାନଙ୍କ କହିବା ଅନୁସାରେ, ବିବାହ ଋତୁ ଥିଲେ ମଧ୍ୟ ଗ୍ରାହକଙ୍କ ଭିଡ଼ ଆଶାଠାରୁ କମ୍ ରହିଛି। ଅନେକ ଗ୍ରାହକ ସୁନା ଦାମ ସ୍ଥିର ହେବାକୁ ଅପେକ୍ଷା କରୁଛନ୍ତି। ବଜାର ବିଶ୍ଳେଷକଙ୍କ ମତରେ, ଆଗାମୀ କିଛି ସପ୍ତାହ ସୁନା ବଜାରର ଗତିବିଧି ଉପରେ ବିଶ୍ୱ ଅର୍ଥନୀତି, ଆମେରିକାର ସୁଧହାର ନୀତି ଏବଂ ଡଲାରର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। 2025ରେ ଭାରତର ମୋଟ ସୁନା ଚାହିଦା 714 ଟନ୍କୁ ଖସିଆସିଛି, ଯାହା 2024 ତୁଳନାରେ ପ୍ରାୟ 11% କମ୍। ଗହଣା ଚାହିଦା 24% ହ୍ରାସ ପାଇ 430.5 ଟନ୍ ରହିଛି, ଯାହା ଗଲା ୫ ବର୍ଷର ସବୁଠାରୁ କମ୍ ସ୍ତର। ଅନ୍ୟପଟେ ବାର୍ ଓ କଏନ୍ରେ ନିବେଶ 17% ବଢ଼ିଛି, କାରଣ ଅନିଶ୍ଚିତ ବିଶ୍ୱ ଅର୍ଥନୀତି ମଧ୍ୟରେ ଲୋକେ ସୁନାକୁ ସୁରକ୍ଷିତ ନିବେଶ ଭାବେ ଦେଖିଛନ୍ତି। ଭାରତରେଗତ ୫ ବର୍ଷର ସୁନାର ହାରାହାରି ଚାହିଦା ପ୍ରତିବର୍ଷ ପ୍ରାୟ 770 ଟନ୍। ଏହାର ଅର୍ଥ, ଭାରତକୁ ସାଧାରଣତଃ ପ୍ରତିବର୍ଷ 700–850 ଟନ୍ ସୁନାର ଆବଶ୍ୟକତା ପଡ଼େ। ସୁନାର ପ୍ରାୟ 60–65% – ଗହଣା (Jewellery), 25–30% – ବାର୍ ଓ କଏନ୍ରେ ନିବେଶ (Investment), 5–10% – ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ବ୍ୟବହାରରେ ଲାଗେ। ଭାରତ ବିଶେଷ କରି ସ୍ୱିଜରଲ୍ୟାଣ୍ଡ, ୟୁଏଇ, ଦକ୍ଷିଣ ଆଫ୍ରିକା, ଘାନା, ଅଷ୍ଟ୍ରେଲିଆ, କାନାଡ଼ାରୁ ସୁନା ଆମଦାନି କରେ। ଭାରତରେ ସୁନା ଖଣିର ଉତ୍ପାଦନ ବହୁତ କମ୍। ଦେଶର ମୋଟ ଆବଶ୍ୟକତାର 95–99% ଆମଦାନି ମାଧ୍ୟମରେ ପୂରଣ ହୁଏ। ବିବାହ ଋତୁ, ପର୍ବପର୍ବାଣୀ ଓ ନିବେଶ ଚାହିଦା ଯୋଗୁଁ ଭାରତ ବିଶ୍ୱର ସର୍ବବୃହତ ସୁନା ଉପଭୋକ୍ତା ଦେଶମାନଙ୍କ ମଧ୍ୟରେ ଅନ୍ୟତମ।
