ତିର୍ତ୍ତୋଲରେ ନିର୍ମାଣ ହେବ ଟେକ୍ସଟାଇଲ ପାର୍କ
ତିର୍ତ୍ତୋଲ ବାସୀଙ୍କ ପାଇଁ ଖୁସି ଖବର। ଶାରଳା ସମବାୟ ସୂତାକଳ ସ୍ଥାନରେ ନିର୍ମାଣ ହେବ ଟେକ୍ସଟାଇଲ ପାର୍କ। ଏନେଇ ସୂଚନା ଦେଲେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ କହିଲେ ସ୍ଥାନୀୟ ଅଞ୍ଚଳରେ ବଢିବ ରୋଜଗାର ପନ୍ଥା।

ତିର୍ତ୍ତୋଲ ବାସୀଙ୍କ ପାଇଁ ଖୁସି ଖବର। ତିର୍ତ୍ତୋଲ ଅଞ୍ଚଳରେ ଥିବା ଶାରଳା ସମବାୟ ସୂତାକଳ ସ୍ଥାନରେ ନିର୍ମାଣ ହେବ ଟେକ୍ସଟାଇଲ ପାର୍କ। ଜଗସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ 1999 ମସିହାରୁ ବନ୍ଦ ହୋଇ ରହିଥିବା ଶାରଳା ସମବାୟ ସୂତାକଳ ସ୍ଥାନରେ ନିର୍ମାଣ ହେବ ଟେକ୍ସଟାଇଲ ପାର୍କ। ଏନେଇ ଶିଳ୍ପ ବିଭାଗ ବକେୟା ଥିବା 23 କୋଟି ଟଙ୍କା ପୈଠ କରି ଏହି ଜମିକୁ ଇଡକୋ ଅଧିନକୁ ଆଣିବା ପରେ ଏବେ ଜିଲ୍ଲାବାସୀଙ୍କ ମନରେ ଖୁସି ସଞ୍ଚାରିତ ହୋଇଛି। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବସନ୍ତ ବିଶ୍ଵାଳଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଏକମାତ୍ର ସାରଳା ସମବାୟ ସୂତାକଳ ବନ୍ଦ ହେବାପରେ ଅନେକ ପରିବାର ନିଯୁକ୍ତି ହରାଇଥିଲେ। ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଜିଲ୍ଲାବାସୀ ଏନେଇ ଦାବି ରଖିଥିବା ବେଳେ ଏହା ପୁଣି ନୂତନ ଭାବେ ପ୍ରତିଷ୍ଠା କରିବାକୁ ଯାଉଥିବା ଆଜି ସୂଚନା ଦେଇଛନ୍ତି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଏହି ଜମିରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା 6 ଟି ଟେକ୍ସଟାଇଲ କମ୍ପାନୀ ଆସି ପରିଭ୍ରମଣ କରି ଯାଇଥିବା ବେଳେ ଏଠାରେ ପୁଣି ଜିଲ୍ଲାବାସୀ ସେମାନଙ୍କର କାରିଗରୀ କଳାନୈପୁଣ୍ୟ ପ୍ରଦର୍ଶିତ କରିବାରେ ସକ୍ଷମ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପରିପେକ୍ଷୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଅନେକ ଲୋକ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
