ଦିନକୁ ୨ଶହ ଲିଟରରୁ ଅଧିକ ତେଲ ମନା..
ଦିନକୁ ସର୍ବାଧିକ ୨ଶହ ଲିଟର ଡିଜେଲ ବିକ୍ରି କରାଯିବ। ଏହା ସହିତ ଶିଳ୍ପ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଉପଭୋକ୍ତାଙ୍କୁ ଖୁଚୁରା ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି ନିୟମ ପ୍ରାରମ୍ଭିକ ଭାବେ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ

ଦେଶରେ ଡିଜେଲ ଏବଂ ପେଟ୍ରୋଲ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ, ଏବେ ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକ କିମ୍ୱା ଗୋଟିଏ ଗାଡ଼ିକୁ ଦିନକୁ ସର୍ବାଧିକ ୨ଶହ ଲିଟର ଡିଜେଲ ବିକ୍ରି କରାଯିବ। ଏହା ସହିତ ଶିଳ୍ପ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଉପଭୋକ୍ତାଙ୍କୁ ଖୁଚୁରା ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି ନିୟମ ପ୍ରାରମ୍ଭିକ ଭାବେ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାରଙ୍କ କହିବା ଅନୁସାରେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ବିଶ୍ୱ ଇନ୍ଧନ ଯୋଗାଣ ଶୃଙ୍ଖଳ ବା ସପ୍ଲାଏ ଚେନ୍ ଉପରେ ଚାପ ବଢ଼ିଛି। ଏହାର ପ୍ରଭାବରେ ଭବିଷ୍ୟତରେ ଇନ୍ଧନ ଅଭାବ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଦେଶର ସାଧାରଣ ଉପଭୋକ୍ତାଙ୍କ ପାଇଁ ନିରବିଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ବିଶେଷକରି କେତେକ ଶିଳ୍ପ ଓ ପରିବହନ କମ୍ପାନୀ ଖୁଚୁରା ପମ୍ପରୁ ବହୁ ପରିମାଣରେ ଡିଜେଲ କିଣୁଥିଲେ। ବଲ୍କ ସପ୍ଲାଇ ଚ୍ୟାନେଲ ତୁଳନାରେ ଖୁଚୁରା ପମ୍ପରେ ଡିଜେଲ ଦର କମ୍ ଥିବାରୁ ସେମାନେ ସେଠାରୁ ଇନ୍ଧନ ନେଉଥିଲେ। ଏହା ଫଳରେ କେତେକ ଅଞ୍ଚଳରେ ପମ୍ପଗୁଡ଼ିକରେ ଅସ୍ୱାଭାବିକ ଚାହିଦା ବଢ଼ିବା ସହ ଇନ୍ଧନ ଅଭାବ ଦେଖାଦେଇଥିଲା। ନୂଆ ନିୟମ ଅନୁଯାୟୀ, ପେଟ୍ରୋଲ ପମ୍ପରୁ କିଣାଯାଇଥିବା ଡିଜେଲକୁ ପୁନଃ ବିକ୍ରି କରାଯିବ ନାହିଁ। ଏହା କେବଳ ଗାଡ଼ିର ଟ୍ୟାଙ୍କ କିମ୍ୱା ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ଅନୁମୋଦିତ ପାତ୍ରରେ ଦିଆଯିବ। ସରକାରଙ୍କ ମତରେ ଏହା ଇନ୍ଧନ ଚୋରା କାରବାର ଓ ଅନିୟନ୍ତ୍ରିତ ବିକ୍ରିକୁ ରୋକିବ। ଏହି ନିଷ୍ପତ୍ତିର ସବୁଠାରୁ ଅଧିକ ପ୍ରଭାବ ବଡ଼ ଟ୍ରକ୍ ଅପରେଟର, ଲଜିଷ୍ଟିକ୍ସ କମ୍ପାନୀ ଏବଂ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ପଡ଼ିବ। ସେମାନଙ୍କୁ ଏବେ ଖୁଚୁରା ପମ୍ପ ବଦଳରେ ବଲ୍କ ସପ୍ଲାଇ ଚ୍ୟାନେଲ ମାଧ୍ୟମରେ ଇନ୍ଧନ କିଣିବାକୁ ପଡ଼ିବ। ତେବେ ସାଧାରଣ କାର, ବାଇକ୍ କିମ୍ୱା ଛୋଟ ବାଣିଜ୍ୟିକ ଯାନ ଚାଳକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କାରଣ ସେମାନଙ୍କ ଦୈନିକ ଇନ୍ଧନ ବ୍ୟବହାର ୨ଶହ ଲିଟରରୁ ବହୁତ କମ୍ ରହେ। ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ଇନ୍ଧନର କୌଣସି ବଡ଼ ଅଭାବ ନାହିଁ, କିନ୍ତୁ ଭବିଷ୍ୟତରେ ଯୋଗାଣ ବ୍ୟବସ୍ଥାକୁ ସନ୍ତୁଳିତ ରଖିବା ଏବଂ ସାଧାରଣ ଲୋକଙ୍କୁ ଅସୁବିଧାରୁ ବଞ୍ଚାଇବା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ଗାଡ଼ି ମାଲିକଙ୍କ ପାଇଁ ଏହି ନିୟମର ବଡ଼ ପ୍ରଭାବ ନଥିବାବେଳେ, ବଡ଼ ଟ୍ରକ୍, ବସ୍ ଏବଂ ବାଣିଜ୍ୟିକ ଯାନ ଚାଳକମାନେ ୨ଶହ ଲିଟର ସୀମା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
