Illegal Liquor Raid: ମଦ ଭାଟିରେ ରେଡ୍, ୪ ଗିରଫ ! ୨୧୪୦ କେଜି ପୋଚ ନଷ୍ଟ; ଖଇରାରେ ବିପୁଳ କାଠ ଜବତ
ବେଆଇନ କାରବାର ବିରୋଧରେ ହରଭଙ୍ଗା ଅବକାରୀ ଥାନା ବିପୁଳ ପରିମାଣର ଦେଶୀ ମଦ ଉପରେ ଚଢ଼ାଉ କରିଛି ଏବଂ ବାଲେଶ୍ବରରେ ଏକ କାଠ ଗଛିତ ଘରେ ଥିବା କାଠକୁ ଜବତ କରିଛି |

ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ବାହାଲି ଗ୍ରାମ ଓ ନିକଟସ୍ଥ ପାଟଦୋହଲି ଜଙ୍ଗଲରେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ନଷ୍ଟ କରାଯାଇଛି । ହରଭଙ୍ଗା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସନ୍ଦୀପ ଧଳଙ୍କ ଉପସ୍ଥିତିରେ ଅବକାରୀ ବିଭାଗର ୫ଟି ପୃଥକ ଟିମ୍ ଏକାବେଳକେ ୫ଟି ସ୍ଥାନରେ ଏହି ରେଡ୍ କରିଥିଲେ । ଏହି ରେଡ଼ରେ ୨,୧୪୦ କେଜି ମହୁଲ ପୋଚ ଏବଂ ୨୨୫ ଲିଟର ରନ୍ଧା ଦେଶୀ ମଦ ନଷ୍ଟ କରାଯାଇଛି । ଏହା ସହ ୪ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ବେଳେ ଜଙ୍ଗଲରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ମାନେ ହେଲେ ବାହାଲି ଗ୍ରାମର ଶ୍ରୀତମ ବେହେରା, ଅନିରୁଦ୍ଧ ପାତ୍ର, ଛବିନା କହଁର ଓ କିଶୋର ପାତ୍ର । ଏହି ମିଳିତ ଚଢ଼ାଉରେ ବୌଦ୍ଧ ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ ଶତପଥୀ, ମୋବାଇଲ୍ ସ୍କ୍ୱାଡ୍ ଇନ୍ସପେକ୍ଟର ସୁଧୀର କୁମାର ମିଶ୍ର, ଏସ.ଆଇ. ସୁବ୍ରତ କୁମାର ଦାଶ, ହରଭଙ୍ଗା OIC ପ୍ରସନ୍ନ କୁମାର ଜେଠୀ ଏବଂ ଏସ.ଆଇ. ଅସିଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ସାମିଲ ହୋଇଥିଲେ । ଘଟଣାରେ ୫ଟି ପୃଥକ ମାମଲା ରୁଜୁ କରାଯାଇଥିବା ବେଳେ ଆଗାମୀ ଦିନରେ ବେଆଇନ୍ ମଦ କାରବାର ବିରୋଧରେ ଏଭଳି କଡ଼ା ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେହିପରି ଭାବେ ବାଲେଶ୍ବର ଖଇରା ବ୍ଳକ ତୋରାଣିପଦା ଠାରେ ଥିବା ଏକ କାଠ ଗଛିତ ଘରେ ବନବିଭାଗ ଚଢ଼ଉ କରି କାଠ ଜବତ କରିଛି । ତୋରାଣିପଦା ଗ୍ରାମର ଥିବା ସରକାରୀ ଜାଗାରେ ବେଆଇନ ଭାବେ କାଠ ଗଛିତ ନେଇ ବନବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଔପଦା ରେଞ୍ଜର ଭାଗ୍ୟ ଶ୍ରୀ ଦାସ,କୁପାରୀ ଫରେଷ୍ଟର ଦୁଷ୍ମନ୍ତ କୁମାର ଜେନା ଙ୍କ ସମେତ ବନ କର୍ମଚାରୀଙ୍କ ସହଯୋଗରେ ଚଢ଼ାଉ କରାଯାଇ ଆକାଶୀବନ୍ଦ ୧୬୪ ପିସ୍,ଆକାଶିଆ ପଟା ୧୪୯ ପିସ୍,ଚଉଠ ୮ ଖଣ୍ଡ ଜବତ କରିଥିଲା ବେଳେ କିଏ କଣ ପାଇଁ ଏତେ କାଠ ର ବିଭିନ୍ନ ସରଞ୍ଜାମ ରଖିଥିଲେ ତାହା ଜଣା ପଡିନଥିବା ବେଳେ ବନ ବିଭାଗ ଏହା ଉପରେ ନଜର ରଖି ତଦନ୍ତ ଚଳାଇଛି ।
