Police Services: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍, ଏଣିକି ଘରେ ମିଳିବ ୧୪ ପୋଲିସ ସେବା
ଥାନା ଯିବାର ଝଞ୍ଜଟ ନାହିଁ। ‘Hi’ ଲେଖି ପଠାନ୍ତୁ ୯୪୩୭୨୯୨୦୦୦ ନମ୍ବରକୁ, ଚୟନ କରନ୍ତୁ ସେବା ଏବଂ ଘରେ ବସି ପାଆନ୍ତୁ ପୋଲିସ ସୁବିଧା।

ଭୁବନେଶ୍ୱର: ଏଣିକି ବିଭିନ୍ନ ପୋଲିସ ସେବା ପାଇଁ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ ୧୪ଟି ପୋଲିସ-ନାଗରିକ ସେବା। ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ରେ ଏହି ସେବାଗୁଡ଼ିକୁ ସାମିଲ କରାଯାଇଛି। ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ୍ରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପୋଲିସ ସେବାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ ଓ ନାଗରିକ-କେନ୍ଦ୍ରିକ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ନାଗରିକମାନେ ଚରିତ୍ର ପ୍ରମାଣପତ୍ର, ବରିଷ୍ଠ ନାଗରିକ ପଞ୍ଜୀକରଣ, କର୍ମଚାରୀ ସତ୍ୟାପନ, ହଜିଯାଇଥିବା ସମ୍ପତ୍ତି କିମ୍ବା ଦଲିଲ୍ ସମ୍ପର୍କିତ ରିପୋର୍ଟ, ଲାଉଡ୍ସ୍ପିକର୍ ଅନୁମତି ପାଇଁ NOC, ଭଡ଼ାଟିଆ/PG ସତ୍ୟାପନ ଭଳି ସେବା ପାଇପାରିବେ। ଏହାସହ ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ, ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ, ଅଭିଯୋଗ ପଞ୍ଜୀକରଣ, ଘରୋଇ ସହାୟକ ନିୟୋଜନ ସତ୍ୟାପନ, କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି, ଧାରଣା/ଧର୍ମଘଟ ପାଇଁ ଅନୁମତି, FIRର ନକଲ ଏବଂ ସଡ଼କ ଦୁର୍ଘଟଣା, ଚୋରି ଯାନବାହନ କିମ୍ବା ଚୋରି ମାମଲା ସମ୍ପର୍କିତ Final Formର ନକଲ ମଧ୍ୟ ମିଳିପାରିବ।
‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍ରେ ସେଭ୍ କରି ‘Hi’ ଲେଖି ପଠାଇବାକୁ ପଡ଼ିବ। ଏହାପରେ ଭାଷା ଚୟନ କରି ଆବଶ୍ୟକ ପୋଲିସ ସେବା ବାଛିପାରିବେ। ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ରେ ଦାଖଲ କରିବା ପରେ ଆବେଦନଟି ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ କିମ୍ବା କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଆବେଦନକାରୀଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ, ଯାହା ମାଧ୍ୟମରେ ଆବେଦନର ସ୍ଥିତି ମଧ୍ୟ ଜାଣିହେବ। ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ରେ ପାଇପାରିବେ।
ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ବିକଶିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୫ ଡିସେମ୍ବର ୨୫ ତାରିଖ ସୁଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ କରିଥିଲେ। ଏହାକୁ ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା ଭାବେ ବିକଶିତ କରାଯାଇଛି। ‘ଆମ ସାଥୀ’ରେ ୧୪ଟି ପୋଲିସ ସେବା ଯୋଡ଼ାଯିବା ଫଳରେ ରାଜ୍ୟରେ ଡିଜିଟାଲ୍ ଓ ନାଗରିକ-କେନ୍ଦ୍ରିକ ପୋଲିସିଂ ଆହୁରି ସୁଦୃଢ଼ ହେବ ବୋଲି କୁହାଯାଇଛି।
ଉଦ୍ଘାଟନ କାର୍ଯ୍ୟକ୍ରମରେ SCRB ନିର୍ଦ୍ଦେଶକ ଶ୍ରୀ ଅବିନାଶ କୁମାରଙ୍କ ସମେତ ଅତିରିକ୍ତ ଡିଜିପି ଆଇନ ଓ ଶୃଙ୍ଖଳା ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି ଏସଟିଏଫ୍ ହିମାଂଶୁ ଲାଲ, ଆଇଜି ଇଣ୍ଟେଲିଜେନ୍ସ ଶ୍ରୀ ସତ୍ୟବ୍ରତ ଭୋଇ, ଆଇଜି କ୍ରାଇମବ୍ରାଞ୍ଚ ଡ଼ଃ ସାର୍ଥକ ଷଡ଼ଙ୍ଗୀ ଏବଂ CMGI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏସପି (କମ୍ପ୍ୟୁଟର) ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।
