ମୋରମ ମାଫିଆଙ୍କ ଉପରେ ପ୍ରଶାସନର ଚଢ଼ାଉ । ୨ ଟ୍ରାକ୍ଟର ଜବତ
ଚମ୍ପୁଆରେ ମୋରମ ମାଫିଆଙ୍କ ଉପରେ ପ୍ରଶାସନର ଅତର୍କିତ ଚଢ଼ାଉ। ପ୍ରତିଦିନ ହେଉଥିଲା ବେଆଇନ ମୋରମ ଚାଲାଣ, ଚଢାଉ ବେଳେ ୨ ଟ୍ରାକ୍ଟର ଜବତ।

ଯୋଡା: ବେଆଇନ ମୋରମ ଚାଲାଣ ବେଳେ ପ୍ରଶାସନର ଚଢାଉ। ଦୁଇ ଟ୍ରାକ୍ଟର ଜବତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସରକାରୀ ସ୍ଥାନରୁ ପ୍ରତିଦିନ ବେଆଇନ ଭାବେ ମୋରମ ଉଠାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଦେଖାଦେଇଛି। ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ପୂର୍ବରୁ ଅନେକ ଥର ଲଘୁ ଖଣି ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲ କତ୍ତ୍ଵପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ ପ୍ରତି ଗୁରୁତ୍ଵ ଦେଉନଥିଲେ। ଯାହା ଫଳରେ ସରକାର ପ୍ରତିଦିନ ରାଜସ୍ଵ ହରାଇ ବସୁଥିଲେ । ତେବେ ଆଜି ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବାବେଳେ ଚମ୍ପୁଆ ତହସିଲଦାର ନିଜ କାର୍ଯ୍ୟାଳୟ ସମ୍ମୁଖରୁ ୨ଟି ଟ୍ରାକ୍ଟରକୁ ଜବତ କରିଛନ୍ତି । ଟ୍ରାକ୍ଟର ଦୁଇଟି ଚମ୍ପୁଆ ବଜାର ମଧ୍ୟ ଦେଇ ମୋରମ ଚାଲାଣ କରୁଥିବା ବେଳେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି । ତହସିଲ କାର୍ଯ୍ୟାଳୟ ମଧ୍ୟ ଦେଇ ବେଧଡକ ମୋରମ ଚାଲାଣକୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ଯାହାକୁ ନେଇ ଆଜି ତହସିଲଦାର ବେଆଇନ ଭାବେ ମୋରମ ଚାଲାଣ କରୁଥିବା ଦୁଇ ଟ୍ରାକ୍ଟର କୁ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଜବତ କରିଛନ୍ତି। ଫଳରେ ଚୋରା ମୋରମ ବ୍ୟବସାୟୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗାଡି ଦୁଇଟି ଜବତ ପରେ ଥାନାରେ ଜିମା ଦିଆଯାଇ ଲଘୁ ଖଣି ବିଭାଗକୁ ସୂଚନା ଦିଆଯାଇ ଥିବା ନେଇ ତହସିଲଦାର ସୂଚନା ଦେଇଛନ୍ତି।
