Illegal Firecrackers:ପୋଲିସ ଚଢ଼ାଉରେ ବେଆଇନ ବାଣ ଜବତ
ଦୀପାବଳି ପୂର୍ବରୁ ବାୟୁ ଓ ଶବ୍ଦ ପ୍ରଦୂଷଣ କୁ ନେଇ ନିୟମର ଚର୍ଚା ଚାଲିଥିଲା ବେଳେ ପୋଲିସ ର ମୁଣ୍ଡବିନ୍ଧାର କାରଣ ପାଲଟିଛି ବେଆଇନ ବାଣ | ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ଉପରେ ପୋଲିସର ଚଢ଼ାଉ କରି ଜୟପାଟଣାର ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ବାଣ ଜବତ ହୋଇଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।
ଜୟପାଟଣା:ବେଆଇନ ବାଣ ଗଚ୍ଛିତ ରଖିବା ଓ ବ୍ୟବସାୟ ଅଭିଯୋଗରେ ଜୟପାଟଣାରେ ପୋଲିସର ବଡ଼ଧରଣର ଚଢ଼ାଉ। ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିର୍ଦ୍ଦେଶକ୍ରମେ ଆଜି ଜୟପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ତଲାସୀ କରିଛି। ଏହି ଚଢ଼ାଉ ସମୟରେ ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନରୁ ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ବାଣ ଜବତ କରାଯାଇଛି।ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଜୟପାଟଣାର ବାସିନ୍ଦା ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ାଉ କରିଥିଲା। ଆବାସିକ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ସହ ବ୍ୟବସାୟ କରାଯାଉଥିବା ଅଭିଯୋଗରେ ଏହି ତଲାସୀ କରାଯାଇଥିଲା। ଘରର ଏକ କୋଠରୀରୁ ପୋଲିସ ବାଣ ଥିବା ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ଠାବ କରି ଜବତ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହିଭଳି ଘଟଣାରେ ପ୍ରାୟ ଚାରି ଟ୍ରକ୍ ବାଣ ଜବତ ହୋଇଥିବା ଜଣାପଡ଼ିଛି। ତେଣୁ ଚଳିତ ଥର ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଜାରି ରଖିଛି। ଜବତ ବାଣଗୁଡ଼ିକୁ ପୋଲିସ ନିଜ ହେପାଜତକୁ ନେଇ ଥାନାରେ ରଖିଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବାବେଳେ ତଦନ୍ତ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

