ବିଜୁ ଏକ୍ସପ୍ରେସୱେରୁ ବିପୁଳ ଗଞ୍ଜେଇ ଜବତ, ଜଣେ ଗିରଫ ଓ ଜଣେ ଫେରାର
ଶନିବାର ଭୋର ସମୟରେ ବଡ଼ମାଲ ପୋଲିସ ବିଜୁ ଏକ୍ସପ୍ରେସୱେର ଖେରୁଆଲ୍ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧ ଏର୍ଟିଗା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସୱେରେ ଗଞ୍ଜେଇ ଚାଲାଣ ବେଳେ ବଡ଼ମାଲ ପୋଲିସ ବଡ଼ ସଫଳତା । ଶନିବାର ଭୋର ସମୟରେ ବଡ଼ମାଲ ପୋଲିସ ବିଜୁ ଏକ୍ସପ୍ରେସୱେର ଖେରୁଆଲ୍ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧ ଏର୍ଟିଗା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ପେଟ୍ରୋଲିଂ ସମୟରେ ପୋଲିସ ସନ୍ଦିଗ୍ଧ ଏର୍ଟିଗା କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପୋଲିସକୁ ଦେଖି ଚାଳକ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିଛି ଦୂର ଯିବା ପରେ ଭାରସାମ୍ୟ ହରାଇ କାରଟି ରାସ୍ତା ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ପୋଲିସ ଗାଡ଼ିର ତଲାସି ନେବା ବେଳେ ସେଥିରୁ ବହୁ ପରିମାଣର ଗଞ୍ଜେଇ ପ୍ୟାକେଟ୍ ଜବତ କରିଥିଲା। ଏହି ଚାଲାଣରେ ଦୁଇ ଜଣ ସାମିଲ ଥିବାବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ପୋଲିସ କାବୁ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଚାଲାଣ କରାଯାଉଥିଲା । ଘଟଣାସ୍ଥଳରେ ବଡ଼ମାଲ ପୋଲିସ ପକ୍ଷରୁ ଗଞ୍ଜେଇ ପ୍ୟାକେଟ୍ ଗୁଡ଼ିକର ଏକ ଓଜନ କରିଛି । ଏହି ବେଆଇନ ଗଞ୍ଜେଇ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ବଡ଼ମାଲ ପୋଲିସ ତଦନ୍ତକୁ ଜୋରଦାର କରିଛି।
