ଆଜି ପବିତ୍ର ହେରାପଞ୍ଚମୀ- ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ
ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେରାପଞ୍ଚମୀ। ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ କୁହାଯାଏ ହେରାପଞ୍ଚମୀ। ମାଉସୀ ଘରକୁ ପତ୍ନୀଙ୍କୁ ସାଙ୍ଗ ନ ଆଣିବାରୁ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା ଲକ୍ଷ୍ମୀ।
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିଛନ୍ତି। ଆଡପମଣ୍ଡପରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଆଜି ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ।
ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ଆଳତି ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ମା' ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ଶ୍ରୀମନ୍ଦିର ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହେଲେ। ଅଣସର ଘରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ମାଉସୀ ମା ଘର ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବବିବାହିତା ମା' ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ସେ ଅଭିମାନ କରିବେ। ମହାପ୍ରଭୁଙ୍କୁ ଫେରାଇଆଣିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ବିଜେ କରିବେ। ମହାପ୍ରଭୁ ଠାକୁରାଣୀଙ୍କୁ ଦର୍ଶନ ଦେବେ, କିନ୍ତୁ ତାଙ୍କ ସହ ଶ୍ରୀମନ୍ଦିରକୁ ଫେରିବେ ନାହିଁ। ଏନେଇ କ୍ରୋଧ ଜର୍ଜରିତା ପତ୍ନୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ହେରାପଞ୍ଚମୀରେ ମହାପ୍ରଭୁ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ଜଗନ୍ନାଥଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହାକୁ ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ ।
