Habishyali Yojana : ଅକ୍ଟୋବର ୬ରୁ ହବିଷ୍ୟାଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ
୨୬ ଅକ୍ଟୋବରରୁ ୨୪ ନଭେମ୍ବର ଯାଏଁ ଚାଲିବ ହବିଷ୍ୟାଳୀ ଯୋଜନା; ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା।
ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅକ୍ଟୋବର ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଲିଙ୍କ୍ ସକ୍ରିୟ ରହିବ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଯୋଗ୍ୟ ମହିଳାମାନେ ଅନଲାଇନ୍ରେ ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଭଳି ୩ଟି ସ୍ଥାନରେ ୨୫୦୦ ଜଣ ହବିଷ୍ୟାଳୀଙ୍କ ନିଶୁଳ୍କ ରହଣୀ ବ୍ୟବସ୍ଥା କରାଯାଉଛି। ଏଥିସହ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଏବଂ ମାଗଣା ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି।
୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଏବଂ ୫୦ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ବିବାହିତ ମହିଳାମାନେ ହବିଷ୍ୟାଳୀ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଆବଶ୍ୟକ। ଏହି ଯୋଜନାରେ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ହବିଷ୍ୟାଳୀ ଯୋଜନା ପାଇଁ କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ପଞ୍ଜୀକରଣ କରାଯିବ। ଧାର୍ଯ୍ୟ ୨୫୦୦ ଜଣଙ୍କ ସଂଖ୍ୟା ପୂରଣ ହେବା ପରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ସାଇଟ୍ ବନ୍ଦ ହୋଇଯିବ। ଆବେଦନକାରୀମାନେ https://edistrict.odisha.gov.in ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀଙ୍କ ରହଣୀ, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ସ୍ୱେଚ୍ଛାସେବୀ ମୁତୟନ, ସ୍ୱାସ୍ଥ୍ୟସେବା, ଭଜନ, କୀର୍ତ୍ତନ ଏବଂ ପୂଜା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷର ହବିଷ୍ୟାଳୀ ଯୋଜନାକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ପ୍ରସ୍ତୁତି ଶେଷ କରାଯାଇଛି। ପୁରୀ ସର୍କିଟ୍ ହାଉସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା।
