ବାଲିଅନ୍ତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ୭୨ ଅଭିଯୋଗ ଗ୍ରହଣ
ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ଦାଖଲ ହୋଇଥିବା ଅଭିଯୋଗ ମଧ୍ୟରୁ ୪ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା।

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶୁଣାଣିକୁ ଆସିଥିବା ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ଏହି ଶିବିରରେ ମୋଟ ୭୨ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୪୫ଟି ବ୍ୟକ୍ତିଗତ ଏବଂ ୨୭ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଦାଖଲ ହୋଇଥିବା ଅଭିଯୋଗ ମଧ୍ୟରୁ ୪ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସେହିପରି ଦୁଇଜଣ ଆବେଦନକାରୀଙ୍କ ଆବେଦନକୁ ବିଚାରକୁ ନେଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ମୋଟ ₹୨୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଇ ଶୀଘ୍ର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ସେବା ଯଥାସମୟରେ ଏବଂ ସ୍ୱଚ୍ଛ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବାଲିଅନ୍ତା ବିଡିଓ ରଶ୍ମିତା ନାଥ, ତହସିଲଦାର ଲୀଲନ ପ୍ରସାଦ ସାହୁ, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଏଭଳି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବୋଲି ଅଧିକାରୀମାନେ କହିଛନ୍ତି।
