Green-Red Dot Packaged Commodities : ଆମିଷ ପାଇଁ ଲାଲ୍ ଓ ନିରାମିଷ ପାଇଁ ସବୁଜ ଚିହ୍ନ: କେନ୍ଦ୍ର ସରକାରଙ୍କ ନୂଆ ନିୟମ ଲାଗୁ
ପ୍ୟାକେଜିଙ୍ଗ ନିୟମରେ ସଂଶୋଧନ | ଖାଲି ଖାଇବା ପ୍ୟାକେଟ ନୁହଁ ବରଂ ଦୈନନ୍ଦିନ ଉପଯୋଗୀ ଜିନିଷ ଯେପରି ସାବୁନ୍, ସାମ୍ପୁ, ଟୁଥପେଷ୍ଟ ଆଦି ସବୁ ପ୍ୟାକେଟ ରେ ଲାଲ-ସବୁଜ ଚିହ୍ନ | ଉପଭୋକ୍ତାଙ୍କ ସୁବିଧାକୁ ପ୍ରାଥମିକତା |
ଏବେ କେବଳ ଖାଦ୍ୟ ସାମଗ୍ରୀ ପ୍ୟାକେଟ କିମ୍ବା ଥଣ୍ଡା ପାନୀୟ ନୁହଁ ବରଂ ସାବୁନ୍, ସାମ୍ପୁ, ଟୁଥପେଷ୍ଟ ଏବଂ ବିଭିନ୍ନ ପ୍ରସାଧନ ସାମଗ୍ରୀ (କସମେଟିକ୍ସ) ନିରାମିଷ ନା ଆମିଷ, ତାହା ପ୍ୟାକେଟରୁ ହିଁ ସହଜରେ ଜାଣିହେବ। କେନ୍ଦ୍ର ସରକାର ଉପଭୋକ୍ତାଙ୍କ ସୁବିଧା ଓ ପାରଦର୍ଶିତା କୁ ପ୍ରାଥମିକତା ଦେଇ 'ଲିଗାଲ ମେଟ୍ରୋଲୋଜି (ପ୍ୟାକେଜ୍ଡ କମୋଡିଟିଜ୍) ରୁଲ୍ସ, ୨୦୧୧'ରେ ବଡ଼ ଧରଣର ସଂଶୋଧନ କରିଛନ୍ତି।ଯାହା ସୋମବାରଠାରୁ ଦେଶସାରା ପ୍ରଭାବୀ ହୋଇଛି | ଏହି ନୂଆ ନିୟମ ଅନୁସାରେ, ସମସ୍ତ ବ୍ୟକ୍ତିଗତ ଯତ୍ନ ଓ ପ୍ରସାଧନ ସାମଗ୍ରୀ ପ୍ୟାକେଟ୍ ଉପରେ ଶାକାହାରୀ କିମ୍ବା ଆମିଷ ଚିହ୍ନ ରହିବା ବାଧ୍ୟତାମୂଳକ କରାଯାଇଛି।
ସଂଶୋଧିତ ନିୟମାବଳୀ ଅନୁଯାୟୀ, ଯେଉଁ ଉତ୍ପାଦରେ ଶାକାହାରୀ ଉପାଦାନ କିମ୍ବା ନିରାମିଷ ଉପାଦାନ ବ୍ୟବହାର କରାଯାଇଛି ସେହି ସାମଗ୍ରୀ ପ୍ୟାକ୍ର ମୁଖ୍ୟ ଭାଗର ଶୀର୍ଷରେ ଏକ ସବୁଜ ରଙ୍ଗର ବିନ୍ଦୁ (Green Dot) ରହିବ। ସେହିପରି ଆମିଷ କିମ୍ବା ପ୍ରାଣୀଜ ଉପାଦାନ ଥିବା ଦ୍ରବ୍ୟଗୁଡ଼ିକରେ ଲାଲ୍ କିମ୍ବା ବାଦାମୀ ରଙ୍ଗର ବିନ୍ଦୁ (Red/Brown Dot) ଲଗାଇବା ଆବଶ୍ୟକ। ଅନେକ ସମୟରେ କସମେଟିକ୍ସ ରେ ବ୍ୟବହାର ଉପାଦାନର ନାମ ଏତେ ଜଟିଳ ହୋଇଥାଏଯେ ଗ୍ରାହକଙ୍କ ପାଇଁ ବୁଝିବା କଷ୍ଟକର ହୋଇଥାଏ |
ତେବେ, ଗ୍ରାହକମାନେ ଯେପରି ସାମଗ୍ରୀ କିଣିବା ସମୟରେ କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ନିଜ ପସନ୍ଦର ଜିନିଷ ଚୟନ କରିପାରିବେ, ସେଥିପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟତଃ ସେହି ଉପଭୋକ୍ତାଙ୍କ ପାଇଁ ଯେଉଁ ମାନେ ଧାର୍ମିକ ଭାବନା କାରଣରୁ ପ୍ରାଣୀଜ ଉପାଦାନ ଥିବା ଦ୍ରବ୍ୟଗୁଡ଼ିକ ରୁ ବଞ୍ଚିବାକୁ ଚାହାନ୍ତି। ବର୍ତ୍ତମାନ ସମସ୍ତ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସେମାନଙ୍କ ପ୍ୟାକେଜିଂରେ ଏହି ପରିବର୍ତ୍ତନ ଆଣିବାକୁ ବାଧ୍ୟ |
