Money Over Blood: ଟଙ୍କା ପାଇଁ ଭାଇ ସାଜିଲା ହତ୍ୟାକାରୀ
୪୨ ଲକ୍ଷ ଟଙ୍କା ପାଇଁ ଭୁଲିଗଲେ ରକ୍ତର ସମ୍ପର୍କ ! କ୍ଷତିପୂରଣ ଟଙ୍କାରୁ ଭଉଣୀକୁ ଭାଗ ନଦେବା ପାଇଁ ଭାଇ ଓ ଭାଉଜ ମିଶି ରଚିଲେ ହତ୍ୟା ଷଡ଼ଯନ୍ତ୍ର, ଏବେ ଉଭୟ ଜେଲ୍ରେ।

ଯେଉଁ ଭାଇ ସହ ଗୋଟିଏ ଘରେ ନିଜ ପିଲାବେଳ କାଟିଥିଲେ, ସେଇ ଭାଇ ଉପରେ ନିଜ ଭଉଣୀର ହତ୍ୟା ଅଭିଯୋଗ ଲାଗିଛି | ଏହି ଆଶ୍ଚର୍ଯ୍ୟକର ମାମଲା ଉତ୍ତରପ୍ରଦେଶର ବାରବାଙ୍କିରୁ ସାମ୍ନାକୁ ଆସିଛି | ଏଠାରେ ଜଣେ ଅଙ୍ଗନବାଡ଼ି କର୍ମୀ ମନ୍ନୁଙ୍କୁ ହତ୍ୟା କରାଯାଇଥିଲା | ପୋଲିସର କହିବା ଅନୁଯାୟୀ, ଏହି ହତ୍ୟା ପଛରେ ରହିଛି ପ୍ରାୟ ୪୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି | ଅଭିଯୋଗ ହୋଇଛି ଯେ, ଏହି ଟଙ୍କାରୁ ଭଉଣୀଙ୍କୁ ଭାଗ ଦେବାକୁ ଚାହୁଁନଥିଲେ ତାଙ୍କ ଭାଇ ସନ୍ଦୀପ ଓ ଭାଉଜ ଶୀତଲ | ଏହି କାରଣରୁ ଉଭୟ ମିଶି ମନ୍ନୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଘଟଣାରେ ପୋଲିସ ଉଭୟ ସନ୍ଦୀପ ଓ ଶୀତଲଙ୍କୁ ଗିରଫ କରିଛି |
ଏହି ଘଟଣା ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ରାମନଗର ଥାନା ଅଞ୍ଚଳର | ପୋଲିସର ସୂଚନା ଅନୁଯାୟୀ, ମହାଦେବା କରିଡର ପ୍ରକଳ୍ପ ଅଧୀନରେ ସନ୍ଦୀପଙ୍କ ଘର ଆସିଯାଇଥିଲା | ଘର ଭାଙ୍ଗିବା ବଦଳରେ ତାଙ୍କୁ ପ୍ରାୟ ୪୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବାର ଥିଲା | ଏହି ଟଙ୍କାକୁ ନେଇ ସନ୍ଦୀପ ଓ ତାଙ୍କ ପତ୍ନୀ ଶୀତଲଙ୍କ ମନରେ ଲୋଭ ସୃଷ୍ଟି ହୋଇଥିବା ପୋଲିସ କହିଛି | ଭଉଣୀ ମନ୍ନୁଙ୍କୁ କ୍ଷତିପୂରଣ ଟଙ୍କାରୁ ଭାଗ ଦେବାକୁ ଉଭୟ ଚାହୁଁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ଉଭୟ ମିଶି ମନ୍ନୁଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିବା ପୋଲିସ ଦାବି କରିଛି।
୩୦ ଅକ୍ଟୋବରରେ ଇଟାରେ ଛେଚି ହତ୍ୟା
ଗତ ଅକ୍ଟୋବର ୩୦ ତାରିଖରେ ମନ୍ନୁଙ୍କୁ ହତ୍ୟା କରାଯାଇଥିଲା | ଅଭିଯୋଗ ଅନୁଯାୟୀ, ତାଙ୍କ ମୁଣ୍ଡ ଓ ମୁହଁକୁ ଇଟାରେ ଏକାଧିକ ଥର ଆଘାତ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମନ୍ନୁ ଜଣେ ଅଙ୍ଗନବାଡ଼ି କର୍ମୀ ଥିଲେ। ତାଙ୍କ ହତ୍ୟା ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣାରେ ମୃତକଙ୍କ ଭାଇ ସନ୍ଦୀପ ଓ ଭାଉଜ ଶୀତଲଙ୍କ ନାମରେ ଏତଲା ଦାୟର ହୋଇଥିଲା। ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ସ୍ୱାଟ୍ ଓ ସର୍ଭିଲାନ୍ସ ଟିମ୍ର ମିଳିତ ଅପରେସନ୍
ଗତକାଲି ବାରାବାଙ୍କୀର ଅତିରିକ୍ତ ଏସ୍ପି (ନର୍ଥ) ବିବେକ ତିୱାରୀ ସୂଚନା ଦେଇ କହିଛନ୍ତି ଯେ, ସ୍ୱାଟ୍, ସର୍ଭିଲାନ୍ସ ଓ ରାମନଗର ପୋଲିସର ମିଳିତ ଟିମ୍ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ସନ୍ଦୀପ ଓ ତାଙ୍କ ପତ୍ନୀ ଶୀତଲଙ୍କୁ ଗିରଫ କରିଛି। ପଚରାଉଚରା ଓ ତଦନ୍ତରୁ ମହାଦେବା କରିଡର ପ୍ରକଳ୍ପ ପାଇଁ ମିଳିବାକୁ ଥିବା ୪୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏହି ହତ୍ୟା ପଛର କାରଣ ବୋଲି ଜଣାପଡ଼ିଥିବା ପୋଲିସ କହିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ୪୨ ଲକ୍ଷ ଟଙ୍କାର କ୍ଷତିପୂରଣକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ହତ୍ୟା ମାମଲାର ରୂପ ନେଇଛି। ଘଟଣାରେ ପରବର୍ତ୍ତୀ ତଦନ୍ତ ଜାରି ରହିଛି।
